ସଦା ପ୍ରସାରିତ ହାତ ମୋହର
ସଦା ପ୍ରସାରିତ ହାତ ମୋହର
ସକାଳ ହଉ ନହଉଣୁ ଭିକ୍ଷା ପାତ୍ର ଧରି,
ଚାଲି ଆସୁଅଛି ତୁମରି ଦ୍ଵାରେ l
କବାଟ ଖଟ ଖଟ କରି ନିତି ବ୍ୟାଘାତ,
ଘଟାଉଛି ତୁମ ସୁନିଦ୍ରାରେ l
ଯାହା ଦେଇଅଛ ବଞ୍ଚିବା ପାଇଁକି ଏ ସଂସାରେ,
ସେତକ ଯଥେଷ୍ଟ ନୁହେଁ ମୋ ମତରେ l
ତେଣୁ ଚାଲି ଆସିଲି ବି ଆଜି ସବୁଦିନ ପରି,
ଆଉ ଅଧିକ କିଛି ପାଇବା ଆଶାରେ l
କିନ୍ତୁ ଆଜି ବାଟରେ ଆସିଲା ବେଳେ ଦେଖିଲି,
ଆଖି ନଥିବା ଲୋକଟିଏ ମାଗିଲା କିଛି ତାକୁ ଦବାକୁ l
କଣ ବା ଦେଇଥାନ୍ତି, ମୁଁ ତ ଯାଉଛି ମାଗିବାକୁ ତୁମକୁ l
ପରେ ପରେ ଦେଖିଲି ଏକ ଗୋଡ ନଥିବା ଲୋକ ଟିଏ ,
ଅସହାୟ ଚାଲି ଦେଖି ତାର ପାଟିରୁ ବାହାରି ଗଲା ହାଏ l
ଛୋଟେଇ ଛୋଟେଇ ଚାଲି ଆସୁଅଛି ମୋ ପାଖକୁ,
ବିକଳେ ମାଗୁଅଛି କିଛି ଦି ମୁଠା ଖାଇବାକୁ ଦବାକୁ l
ଆଉ କିଛି ବାଟ ଆସିଲା ପରେ, ଏକ ହସ୍ତ ନଥିବା ଲୋକଟିଏ l
ଗୋଟିଏ ହାତରେ ବ୍ୟାକୁଳ ମନରେ,
ମାଗୁଥିଲା କିଛି ଆଜିକ ବଞ୍ଚିଯିବା ଆଶାରେ l
ନିଜକୁ ତତକ୍ଷଣାତ ଚାହିଁ ପଡ଼ିଗଲି ଭ୍ରମରେ,
ଏସବୁ ତ ଅଛି ମୋ ପାଖରେ, କାହିଁକି ଯାଉଛି ତୁମ ଦୁଆରେ l
ଏବେ ଏତେ ବାଟ ଆସି ଫେରି ଯିବି କଣ, ତୁମକୁ ଦର୍ଶନ ନକରି,
ନା! ଥରେ ଦେଖି ଦେଇ କ୍ଷମା ପ୍ରାର୍ଥନା କରିନେବି ସତ୍ଵରେ l
ଏବେ ଭାବୁଛି ବଞ୍ଚିବା ପାଇଁ ମତେ ବହୁତ ଦେଇଛ,
ମୁଲ୍ୟବାନ ଏ ହାତ ଗୋଡ ଆଖି କାନ ସତରେ l
ଏବେ ମୋ ପାଇଁ ନୁହେଁ ଏମାନଙ୍କ ପାଇଁ ମାଗିବାକୁ ଭାବୁଛି,
କ୍ଷମା କର ମତେ ତୁମେ ଦେଇଥିବା ଦାନକୁ ଉପଯୋଗ ନକରି,
ଆସୁଥିଲି ମାଗିବାକୁ କିଛି ଅଧିକ ଲୋଭରେ l
କ୍ଷମା ଦେଇ ମୋର ଏ ଧୃଷ୍ଟତାକୁ,
ଦିଅ କିଛି ଏମାନଙ୍କ ଝୋଲିରେ l
ମୁଁ ଯାହା ଦେବି ସେମାନଙ୍କୁ ଦାନରେ କେବଳ ଦିନକ ପାଇଁ,
କିନ୍ତୁ ତୁମେ ଦୟା କଲେ ସବୁଦିନ ଦୁଃଖ ତାଙ୍କ ଯିବ ଦୂରେଇ l
ଏତିକି ପ୍ରାର୍ଥନା କରି ଫେରୁଅଛି ଆଜି,
ଆଉ ଆସି କେବେ, ହଇରାଣ କରିବି ନାହିଁ l
ଯାହା ଦେଇ ଅଛ ମତେ ତାର କରି ସଦୁପୋଯୋଗ,
ଏ ସଂସାରର ସେବା ଦ୍ଵାରା କରିବି ଉପଭୋଗ ।