ଏ ଓଡି଼ଆ ପୁଅଟା ଉଠୁଛି କାହିଁ
ଏ ଓଡି଼ଆ ପୁଅଟା ଉଠୁଛି କାହିଁ
ଏ ଓଡି଼ଆ ପୁଅଟା ଉଠୁଛି କାହିଁ ?
ଶୋଇଛି ତ ଶୋଇଛି
ନିଘୋଡ଼ ନିଦରେ ଘୁଙ୍ଗୁଡି଼ ମାରି
ନିଦରେ ଖାଲି ସପନ ଦେଖୁଛି ଅସରନ୍ତି
ବେଳେବେଳେ ବିଳିବିଳେଇ କହୁଛି
ମୋ ବାପା ଗୋସେଇଁ ବାପା
କରିଥିଲେ କେତେ କଣ
ମୋର କରିବା କି ଦରକାର
କିଛିର ତ ଜମାରୁ ଅଭାବ ନାହିଁ
ଏ ଓଡି଼ଆ ପୁଅଟା ଉଠୁଛି କାହିଁ ।
ପୋତା କେତେ ଉଭା କେତେ ଅଛି
ଖାଇବି ଶୋଇବି ଅୟେସ୍ କରୁଛି କରିବି
ମୋତେ କହିବାକୁ ତମେ କିଏ
ଉପଦେଶ ଦେବା ପାଇଁ
ଏ ଓଡିଆ ପୁଅଟା ଉଠୁଛି କାହିଁ ।
ଆପଣାର କେହି କଳେ ବଳେ
ଉଠେଇବାକୁ ଯଦି ଡାକୁଛି ତଣ୍ଟି ଫାଳି
କହୁଛି ରୁହନା ବକ୍ ବକ୍ କରନା
ତୁମର କି ଆଉ କିଛି କାମଧନ୍ଦା ନାହିଁ
ମୋ ସାଥୀରେ ଲାଗୁଛ ବେକାରଟାରେ
ମୋ ସୁଖର ନିଦ ଭାଙ୍ଗ ନାହିଁ
ଏ ଓଡି଼ଆ ପୁଅଟା ଉଠୁଛି କାହିଁ ।
ଯଦି କେତେବେଳେ ଓଡି଼ସ କି ମଶା
କାମୁଡି଼ଲା ଏଠି ସେଠି ଛାଇ ନିଦରେ
ପେଟ ପିଠି ଗାଲେ ଥାପୁଡେଇ ହୋଇ
ଉଠୁଛି ତ ବିଛଣାରୁ ଝାଡି଼ଝୁଡି଼
ଏଇଟା ନାଇଁ ସେଇଟା ନାଇଁ କହି କହି
ଘର ପକାଉଛି ଉଠାଉଛି ରଡି କରି
ବେଳ ଦେଉଛି ହୁଏ ହାଇଁପାଇଁ
ଏ ଓଡି଼ଆ ପୁଅଟା ଉଠୁଛି କାହିଁ ।
ବାପା ମାଆର ତ ଗେହ୍ଲା ପୁଅ
ଗେଲରେ ମାଆ ବୁଝେଇ ସୁଝେଇ
ଖାଇବାକୁ ଦିଏ ଯେବେ ନ ଭଜା ଛ ତୁଣ
ବାହାର କରୁଛି କେତେ ଗୁଣ
ଘର ଖାଇବା ଛାଡି଼ ବାହାରେ ଖାଉଛି
ଭଲ ଭଲ ମିଳୁଛି କେଉଁଠି
ଦରାଣ୍ଡି ବୁଲୁଛି ଏଣେ ତେଣେ ଚାହିଁ
ଏ ଓଡିଆ ପୁଅଟା ଉଠୁଛି କାହିଁ ।
ବାପା ମାଆର ବଳ ବୟସ ଗଲେ
ନିଜ ବେକରେ ଯେବେ ମାଦଳ ପଡୁଛି
ବଜେଇବା ଦୂରର କଥା
ବେତାଳ ଶବଦ କରି ମାଦଳ ଫଟାଉଛି
ଲେମ୍ବୁ ଲୁଣ କିଛି ନ ପାଇଲେ
ବାପାମାଆକୁ ଘରେ ତଣ୍ଟିଆ ମାରୁଛି
କୁଳ ପ୍ରଦୀପ ଜଳି କୁଳକୁ ଆଲୁଅ ନଦେଇ
ଘର ଜଳେଇ ଦେଇ ପସ୍ତେଇ ହେଉଛି
ଭୁଲ୍ ହେଲା ଭୁଲ୍ ହେଲା କହି
ପକାଉଛି ରାଣ ନିୟମ ଆଖିକାନ ଛୁଇଁ
ଏ ଓଡି଼ଆ ପୁଅଟା ଉଠୁଛି କାହିଁ ।
