ରୋଗ ଚିହ୍ନେ ବଇଦ
ରୋଗ ଚିହ୍ନେ ବଇଦ
ପିଚାକୁ କୁଣ୍ଡେଇ ଦେହଟାକୁ ରାମ୍ପି
ହେଉଥିଲା ନାତି ଭୂଆଁ
ପଚାରିଲେ ଜେଜେ କଥାଟା କଅଣ
ବାଗରେ ହେଉନୁ ଠିଆ ।
ନାଚୁଛୁ କାହିଁକି ରାମ୍ପି ଝାମ୍ପି ହୋଇ
ଲାଗିଛି କିବା କାଳିସୀ
ଆସିଲୁ ପାଖକୁ ଦେଖେଇଲୁ ପିଠି
ଦେବି ଆ ଧିରେ ଆଉଁଷି ।
ରାଗ ଫଣ ଫଣ ଭୂଆଁ ତ ପଞ୍ଚମ
ମାରିଲା ଗାଲୁ ଭୁରୁଡି
ବସେଇବ ମାଡ ପିଠିରେ ମୋହର
ବୋକା ମୁଁ ନୁହେଁ ଅନାଡି ।
ଦେଖୁନା ମୋ ଦେହ ହେଉଛି କୁଣ୍ଡେଇ
ଫଳି ପଡିଯାଏ ଲାଲ
ତୁମ କଥାଗୁଡା ତୁମକୁ ସୁନ୍ଦର
ଲାଗୁଛି ମତେ ଜହର ।
ବୁଝିଗଲେ ଜେଜେ ଠକୁନାହିଁ ଭୂଆଁ
ଅଛି ତାର କୃମି ଦୋଷ
କହିଲେ ହକାରି ଯାଉନୁ ଗିଳିବୁ
ରସଗୋଲା ବଦମାସ ।
ଗେହ୍ଲାପୁଅ ପାଇଁ ଜାତି ଜାତି ମିଠା
ମାଆ ଆଣିଦେବ କିଣି
ଗେଫିବାକୁ ଅଛି ଘରେ ବୀରବର
ତାଙ୍କ ଭୂଆଁ ପୁତ୍ରମଣି ।
ନଧୋଇ ହାତକୁ ଗିଳିବାକୁ ମିଠା
ଏକୁଟିଆ ଲାଗେ ମଜା
କହନ୍ତୁ ଓସ୍ତାଦ ଭୂଆଁ ମହାଶୟ
ଭୋଗୁଅଛି କିଏ ସଜା ।
ଲାଜରେ ଝାଉଁଳି ହେଲା ସଟାବଟା
ଜେଜେଙ୍କୁ ନେହୁରା ଭୂଆଁ
କହିଲା ଏଣିକି ଅଧିକ ସେ ମିଠା
ଖାଇବନି ଏକୁଟିଆ ।
ଖାଇବ ମିଶିକି ଜେଜେଙ୍କ ସହିତ
ସାଥିହୋଇ ହାତଧୋଇ
ଭୂଆଁ କଥା ଶୁଣି ଗଦଗଦ ଜେଜେ
ଗୋଡ ତଳେ ନଲାଗଇ ।
ଜେଜେ ବତାଇଲେ ଭୂଆଁକୁ ଔଷଧ
ଖୋଜୁଥିଲା ଯାହା ମଳୁ
ଭୂଆଁ ଦକ୍ଷିିଣାରେ ବୁଢା ବଇଦର
ହେବ ନିଶ୍ଚେ ଚଣ୍ଡ ଚଳୁ ।
