ଆମ ଗାଁ ସରସ୍ଵତୀ ପୂଜା
ଆମ ଗାଁ ସରସ୍ଵତୀ ପୂଜା
ବର୍ଷକୁ ଥରେ ମାଆ ଆସନ୍ତି
ଆମରି ଗାଆଁ ଆଡ଼େ,
ଶିରୀ ପଞ୍ଚମୀ ଦିନୁଁ ଆମରି
ଗାଆଁଟା ଉଠେ ପଡ଼େ।
ମାଇକି ଡିଜେ ହେଭି ସାଉଣ୍ଡ
ଥରଉଅଛି ଛାତି,
ଡେକୋରେସନ ଲାଇଟ୍ ସଜ୍ଜା
ପୂଜା ବଜାର ତାତି।
ମାଆଙ୍କ ପ୍ରତି ଯୋଉ ଭକତି
ନ କହିବାଟା ଭଲ,
ତାମସିକରେ ସମସ୍ତେ ଆଜି
ଖୁସିରେ ମସ୍ଗୁଲ।
ଖଡ଼ି ପେନ୍ସିଲ୍ ଆଉ ବସୁନି
ମାଆଙ୍କ ପାଦତଳେ,
ବିଦ୍ୟା ଆମର କ'ଣ ବା ହେବ
ନାଚୁଛୁ ଟଙ୍କା ବଳେ।
ଅରୁଆ ଡାଲ୍ମା ପ୍ରସାଦ ଭୋଗ
ମାଆଙ୍କ ପାଖେ ନିତି,
ସାତ ଦିନିଆ ପାଳି ବଣ୍ଟାରେ
ମେମ୍ବର ମାତିଛନ୍ତି।
ମାଆଙ୍କ ମୂର୍ତ୍ତି କମିଯାଇଛି
ମେଲଣ ବଢିଅଛି,
ଏ ବର୍ଷ ପୁଣି ଦି'ଦିଇଟା
ଆସୁଛି ବାଜା ପାର୍ଟି।
ଦି'ଦିନିଆ ମେଲଣ ପୁଣି
ଦି'ଦିନ ନାଲି ପାଣି,
ମାଇପେ ପୁଣି ମେଲଣବେଳେ
ବିଅର ଟେକିଲେଣି।
ମେଲଣ ପାଇଁ ଠାକୁର ପୂଜା
ଗାଆଁରେ ଆମ ହୁଏ,
ଠାକୁର ପାଇଁ ପୂଜା ଭକତି
ତାକୁ ପଚାରେ କିଏ?
ମାଆଲ ଟାଙ୍କି ନ ଖୋଲେ ଯଦି
ସିଏ ବା କେଉଁ ପୂଜା,
ମଦ ମାଉଁସ ଖାଇ ନାଚିଲେ
ମିଳିବ ସିନା ମଜା।
ମା' ସରସ୍ୱତୀ ସରସ ଅତି
ଜ୍ଞାନ ଦିଅନ୍ତି ବାଣ୍ଟି,
ଆମର ସୋମ ରସ କେବଳ
ଦର୍କାର ହେଉଅଛି ।
ମାଆର ହଂସ ପାଣିରୁ କ୍ଷୀର
ଅଲଗା କରି ପିଏ,
ଆମ ବାଇଆ ଆସ୍କାଫର୍ଟିରେ
ପାଣି ମିଶେଇ ନିଏ।
ମଣିଷ ମଲେ କାନ୍ଦ ବୋବାଳି
ଶବ ମେଲାଣି ବେଳେ,
ମାଆ ମେଲାଣି ମଦ ନିଶାରେ
ନାଚିବା ସେତେବେଳେ।
ଆଲ୍ବମ୍ ଗୀତ ଝିଅ ସହିତ
ପୁଣି ଭେଙ୍ଗେଣା ନୃତ୍ୟ,
ଏ ସବୁ ଦେଖି ମା'ସରସ୍ଵତୀ
ହୋଇବେ କୃତ୍ୟ କୃତ୍ୟ।
ନାହିଁ ତ ପାଲା ଦାସକାଠିଆ
ଭଜନ ପ୍ରବଚନ,
ପାରୁଛ ଯଦି ସୁନ୍ଦରୀ ଝିଅ
ନଚେଇବାକୁ ଆଣ।
ମାଆ ସରସ୍ୱତୀ ପୂଜା କମିଟି
ନାଆଁ ବ୍ଯାନର ଲେଖା,
ବାଜା ପାର୍ଟି ଓ ଡିଜେ ସାଉଣ୍ଡ
ଲାଗେ ପ୍ରତିଯୋଗିତା।
ଏ ବର୍ଷର ହିଟ୍ ଗୀତ ,ଛି ଛି
ଛି ରେ ନନୀ ଛି,
ଡିମାଣ୍ଡ ହେବ ମେଲଣ ବେଳେ
କରି ସେ ହାଇଲାଇଟି।
ଆମରି ଗାଆଁ ପାଖେ ଆହୁରି
ଦଶ ପଚିଶି ମେଢ଼,
ନିଶ୍ଚେ ମେଲଣ ଗଣ୍ଡଗୋଳରେ
ଖାଇବେ କିଛି ମାଡ଼।
ଅନୁଷ୍ଠାନର ଉତ୍ତରୋତ୍ତର
ଉନ୍ନତି ହେଉ ନାହିଁ,
କେବଳ ଟଙ୍କା ଖର୍ଚ୍ଚ ହେଉଛି
ମଦ ମାଉଁସ ପାଇଁ।
ଭଲ ମନ୍ଦରେ କା' ଦୁଃଖେ ସୁଖେ
କିଏ ହେଉଛି ଠିଆ ,
କେବଳ ଜୋର୍ କରି ତ ଚାନ୍ଦା
ଆଦାୟ କର ଯାହା।
ଦୁଃଖୀ ଗରିବ ପାଇଁ ଆମର
ଉଠୁ ନ ଥାଏ ହାତ,
ବରଂ ହାତ ଉଡାଏ ମଦ
ପାଇଁ ପୁଳାଏ ନୋଟ।
ଏଇ ଆମର ଯେ ମଣିଷତ୍ଵ
କହିଲେ ହେଲ ଦୋଷୀ,
ପୂଜା ବଜାର ସରଗରମ
କ'ନ୍ ଆପନ୍ମାନେ ଖୁସି??
