ଏ ଭବ ସଂସାରେ
ଏ ଭବ ସଂସାରେ
ଏ ଭବ ସଂସାରେ ଜନମ ଲଭିଛି
କାଳିଆ କରୁଣା ବଳେ
ପ୍ରଥମ ଅଙ୍କରେ ବାଳୁତ କାଳରେ
ଶୁଭେ କେତେ କୋଳା ହଳେ।
ଶେଷ ଅଙ୍କେ ଦେଖେ ବଡ ନୀରବତା
ମଧ୍ୟମରେ ଲହୁ ଲୁହ
ଜୀବନର ଏହି ବାସ୍ତବତା ସଙ୍ଗେ
କେ କେତେ ଜଡ଼ିତ କୁହ।
ମଧ୍ୟମ କାଳରେ ମୋହର ମାୟାରେ
ଲହଡ଼ି ରେ ଯାଏ ଭାସି
ଜୀବନ ନଉକା ବାହି ନେବା ପାଇଁ
କାଳିଆ ଶରଣ ପଶି।
ବେନି ହସ୍ତ ଟେକି ଅନାଇ ବସୁଛି
କରୁଣା ଦିଅ ପରଶି
ତୁହି ଜଗନ୍ନାଥ ଜଗତ ଠାକୁର
ତୋ ଆଖିରେ ଯାଏ ଫସି।
ଅନ୍ଧକାର ଭରା ଅଳିକ ସଂସାର
ପାରେ ନାହିଁ ଦେଖି ମୁହିଁ
ଦେଖିବି କାଳିଆ ତୋ ଚକା ଆଖିରେ
ସମସ୍ତ ଯାତନା ସହି।
ତୁମେ ମୋର ଶାନ୍ତି ତୁମେ ମୋର କ୍ରାନ୍ତି
ତୁମେ ହିଁ ଜୀବନ ମୋର
ତୁମରି ଆଶିଷ ରହୁ ମୋହ ପରେ
ହୋଇବି ମୁଁ ଭବୁ ପାର ।।
