ଦୂର ହେଉ ଅବଶୋଷ
ଦୂର ହେଉ ଅବଶୋଷ
ହେଲା ଘମାଘୋଟ ସଂଗ୍ରାମ ଭୀଷଣ
ଅଭିମନ୍ୟୁ ହେଲେ ହତ
କିମ୍ଭୁତ ଦୃଷ୍ଟାନ୍ତେ ପୂର୍ଣ୍ଣ ଧର୍ମଶାସ୍ତ୍ର
ପୁରାଣ ମହାଭାରତ ।
ଦେଉଳ ଚୂଡାରୁ ସମୁଦ୍ର ବକ୍ଷକୁ
ଲମ୍ପ ଦେଲେ ଧର୍ମପଦ
ରକତ ଅକ୍ଷରେ ଲିପିବଦ୍ଧ ସବୁ
ସତ୍ଯ ଧରମର ଯୁଦ୍ଧ ।
ଭାଙ୍ଗିରୁଜି ଗଲା ସୁଉଚ୍ଚ ମନ୍ଦିର
ସୂକ୍ଷ୍ମ ଚାରୁ ଶିଳ୍ପ କଳା
ଭୂଖଣ୍ଡ ଭାରତ ସୁନାର ଚଢେଇ
ପରାଧୀନ ଥିଲା ପରା ।
ସତ୍ଯ ଅହିଂସାର ମୁକତି ସଂଗ୍ରାମ
ପାଇଁ ଜନ ଗଣ ମନ
ଢାଳି ଲହୁ ଲୁହ ସହି ନିର୍ଯାତନା
କରିଥିଲେ ଆନ୍ଦୋଳନ ।
କେତେ ବଳିଦାନ ସଂଗ୍ରାମର ଅନ୍ତେ
ପ୍ରାପ୍ତ ହେଲା ସ୍ବାଧୀନତା
ବିତି ବି ଗଲାଣି ପଞ୍ଚସ୍ତରୀ ବର୍ଷ
ବୃଦ୍ଧି ପାଏ ଅବ୍ଯବସ୍ଥା ।
ଶିକ୍ଷା ସ୍ବାସ୍ଥ୍ୟ ସେବା କଲ୍ଯାଣ ଯୋଜନା
ଦାରିଦ୍ର୍ଯ ଦୂରୀକରଣ
ହେଉ ନାହିଁ ସ୍ବଚ୍ଛ ଶାସନ ନିର୍ମଳ
ଦୁଷ୍ଟ ହୁଏ ବଳବାନ ।
ସତ୍ଯ ଶାନ୍ତି ନ୍ଯାୟ ପ୍ରଗତି ପଥରେ
ଯେତେ ସବୁ ଅନ୍ତରାୟ
ନ ହୋଇ ପାହାଡ ତ୍ବରିତ ଗତିରେ
ହେଉ ଶୀଘ୍ର ଅବକ୍ଷୟ ।
ନ ବଢୁ ଦୁଃଖୀର ଅଭାବ ଯନ୍ତ୍ରଣା
ଅଜ୍ଞାନତା ଦୁଃଖ କ୍ଳେଶ
ବୃହତ୍ତର ହିତ ନ ହେଉ ବାଧକ
ଦୂର ହେଉ ଅବଶୋଷ ।