ଦୁର୍ଘଟଣା
ଦୁର୍ଘଟଣା
ଘଟଣା ଘଟିବ ଜାଣିଲେ ଆଗରୁ
ସବୁ ହୁଅଇ ଠିକଣା
କିଛି ନଜଣାଇ ସୁରାକ ନଦେଇ
ଘଟିଥାଏ ଦୁର୍ଘଟଣା।
ଓଲଟପାଲଟ ସବୁ ହୋଇଯାଏ
ଦୁର୍ଘଟଣାଗ୍ରସ୍ତ ହେଲେ
ଯିଏ ବି ତାହାର ହୋଇଛି ଶିକାର
ଏକଥା ସେ ଜାଣେ ଭଲେ ।
ଦୁର୍ଘଟଣା ନାମ ଅଟଇ ତାହାର
ଯେବେ ହୁଏ ଉପଗତ
ମନେରଖ କିଛି ବୁଝିବା ଆଗରୁ
ଆସିଯାଏ ସେ ହଠାତ ।
ବାତାବରଣକୁ ଅଶାନ୍ତ କରାଏ
କେବେ କରେ ଅଙ୍ଗହାନି
କେତେବେଳେ କେତେ କ୍ଷୟ କ୍ଷତି କରେ
କରଇ ଜୀବନ ହାନି ।
କେତେ ଦୁର୍ଘଟଣା ଘଟେ ଆଖି ଆଗେ
ଜଳେ ସ୍ଥଳେ ଆକାଶରେ
ସତର୍କତା ଆଉ ସାବଧାନତାରେ
କେହି ଏଥିରୁ ନିସ୍ତରେ ।
ନୀତିନିୟମର ଉଲ୍ଲଙ୍ଘନ ହେଲେ
ଦୁର୍ଘଟଣା ହେବା ସାର
ସଭିଙ୍କ ପ୍ରୟାସ ଲୋଡା ଏଥିପାଇଁ
ହୁଅ ଏବେ ଆଗୁସାର ।
ଦୁର୍ଘଟଣାଗ୍ରସ୍ତ ହେଲା ଯଦି କେହି
ତୁରନ୍ତ ସାହାଯ୍ଯ କର
ତୁମ ସାହାଯ୍ଯରେ ହୁଏତ ଜୀବନ
ରକ୍ଷା ହୋଇବ କାହାର ।
ଦେବଦୂତ ଭଳି ଆଗେଇ ଆସିଲେ
ପର ଉପକାର ପାଇଁ
ଏ ଜୀବନ ତୁମ ଧନ୍ୟ ହୋଇଯିବ
ଅନ୍ୟଥା ବୁଝିବ ନାହିଁ ।
