ଦୁଃଖୀ ମୁଁ କୃଷକଟିଏ
ଦୁଃଖୀ ମୁଁ କୃଷକଟିଏ
ମାଟି ସହ ମୋର ସମ୍ପର୍କ ନିବିଡ଼
ଅନ୍ତରଙ୍ଗ ପରିଚୟ
ମାଟି ମୋ ଚନ୍ଦନ ମାଟି ମୋ ଜୀବନ
ଚାଷୀ ମୁଁ କୃଷକ ପୁଅ ।
ଖରା ବର୍ଷା ଶୀତ ମୋ ପାଇଁ ସମାନ
ଛାତିକୁ ପଥର କରି
ବୁହାଏ ଦେହରୁ କଷ୍ଟ ଶ୍ରମଝାଳ
ରକତ ହୁଏ ମୋ ପାଣି ।
ସବୁଜ ସୁନ୍ଦର ଦିଶେ ବିଲବାଡି
ହସେ ସୁନାର ଫସଲ
ରହେ ମୁଁ ମଗନ କରମେ ଲଗନ
ନାହିଁ ମୋର ଅବସର ।
ମୋ ଫୁଙ୍ଗୁଳା ଦେହ ବାସେ ଭୁରୁଭୁରୁ
ମଟାଳ ମାଟିର ଗନ୍ଧ
ମୋ ମୁଣ୍ଡ ଉପରେ ଆକାଶର ଛାତ
ତାରାଜହ୍ନ ମହାଶୂନ୍ୟ ।
ମୋ ପାଇଁ ମୁଖର ଶୁଭେ କଣ୍ଠ ସ୍ୱର
ଜୀବନ ଚଳ ଚଞ୍ଚଳ
ଉପୁଜାଇ ଅନ୍ନ ଯୋଗାଏ ସଭିଙ୍କୁ
ଖାଦ୍ୟଶସ୍ୟ ଫଳମୂଳ ।
ସଭ୍ୟ ଜଗତର ପାହାଚ ମୁଁ ମୂଳ
ପ୍ରାଥମିକ ସେବାକାରୀ
ସମ୍ବଳ ଅଭାବୁ ସହୁଛି ଦୁର୍ଗତି
ଦୁଃଖ କଷ୍ଟେ ହୁଏ ଘାରି ।
ହେଉ ନାହିଁ କୃଷି କର୍ମ ଲାଭକାରୀ
ପ୍ରଧାନ ଉନ୍ନତ ମାନ
ବିଚରା କୃଷକ ତାର ପରିବାର
ଅସହାୟ ଦୀନହୀନ ।
ବିକି ଜମିବାଡ଼ି ମରୁଛି ଅକାଳେ
ରୋଗରେ ମାଟି କାମୁଡି
ସେବା ନାମେ ଭଣ୍ଡ ଟେକୁଅଛି ମୁଣ୍ଡ
ନିର୍ଲଜରେ ନିଶମୋଡି ।
ଦୁର୍ବଳ ବ୍ୟବସ୍ଥା ଦୁର୍ନୀତି ସ୍ରୋତରେ
ଭାସିଯାଏ କୁଟାଖିଏ
ପୁକାରେ ଆକୁଳେ ଉଦ୍ଧାର ହେ ନାଥ
ଦୁଃଖୀ ମୁଁ କୃଷକଟିଏ ।