STORYMIRROR

DHARITRI SAHU

Tragedy

3  

DHARITRI SAHU

Tragedy

ଦୋଛକି

ଦୋଛକି

1 min
206

ଦୋଛକିରେ ମୁଁ"

ନା କିଛି ସହି ପାରୁଛି -ନା କିଛି କହି ପାରୁଛି

ନା ହସି ପାରୁଛି-ନା କାନ୍ଦି ପାରୁଛି

ନା ମରି ପାରୁଛି -ନା ବଞ୍ଚି ପାରୁଛି

ଆଉ ଏ ମଣିଷକୃତ ଦୁଃଖକୁ

ସହି ପାରୁନି କି 

ସୁଖ କେଉଁଠି ଅଛି ଖୋଜି ପାଉନି।

ଏକ ଦୋଛକିରେ ଛିଡ଼ା ହୋଇ

ମୋ ଜୀବନଟାକୁ ବି

 ମୁଁ ଦେଖିପାରୁନି 

 ଛାଡି ଆସିଲି ଅନେକ 

 ଚିକ୍ ମିକ୍ କରୁଥିବା ସ୍ମୃତି ସବୁ

 ଏକ ଯୌଥ ପରିବାରରେ ଥିବା

 ଅହେତୁକ ସ୍ନେହକୁ।

 ପରସ୍ପର କୁ ବାଣ୍ଟୁଥିବା

 ଅଛିଣ୍ଡା ପ୍ରେମକୁ 

 ବାଣ୍ଟିକୁଣ୍ଟି ଖାଉଥିବା ସରିଯାଇଥିବା ଖାଦ୍ୟକୁ

 ଦୁଃଖ ସୁଖ କୁ ସମାନ ଭାବେ

 ଭାଗକରି ନେଉଥିବା ବ୍ୟକ୍ତି ବିଶେଷଙ୍କୁ।

 ଆଉ ଏଠି ଯେଉଁ ସଂସାର ଗଢିଲି

 ନିଜ ରକ୍ତ ମାଂସକୁ ଏକ କରି

 ଭାବିଥିଲି ଏ ସବୁ ନିଶ୍ଚୟ ଉନ୍ନତ

 ମାନର ହେବେ ମୋ ସଂସ୍କାରରେ

 ସଂସ୍କାରିତ ହୋଇ।

 ହେଲେ ମୁଁ ବୁଝି ପାରିଲି ନାହିଁ

 ମୁଁ ସୁସଂସ୍କାର ଦେଲି ନା କୁସଂସ୍କାର?

 ସ୍ନେହ ଶ୍ରଦ୍ଧା ମମତା ବାଣ୍ଟିବାକୁ ଯଦି

 କୁସଂସ୍କାର କୁହାଯାଏ ମୁଁ ବୋଧେ

 ସେଇ ଶିକ୍ଷା ଦେଇ ଏକ ବିରାଟ ଭୁଲ୍ କଲି।

 କାହିଁକି ଏମିତି ସବୁ ବଦଳିଗଲା

 ଯେଉଁ ମାନଙ୍କୁ ମୋ ରକ୍ତରୁ ତିଆରି କଲି

 ସେମାନଙ୍କ ପାଖରେ ମୋତେ ବୁଝିବାକୁ

 ମୋର ସମାଧାନ ର ଗଣିତ ଗୁଡାକ

 ଅମୀମାଂସିତ ଅଛିଣ୍ଡା ହୋଇ ରହିଗଲା।

 ବେଶ ସୁନ୍ଦର ଚାକଚକ୍ୟଭରା ବାସଘର

 ହେଲେ ସ୍ନେହ କୁଆଡେ ହଜିଗଲା 

 ତୁଳି ତଳ୍ପ ମଣ୍ଡିତ ଶଯ୍ୟା ହେଲେ ନିଦ 

 କୁଆଡେ ହଜିଗଲା।

 ଆଉ ରହିଲା ଆନ୍ତରିକତା ମମତା 

 ଦୟା ହୃଦୟରେ ଆଦ୍ରତା

 ୟାକୁ ତ ଗ୍ରୀଷ୍ମର ନିଦାଘତା

 କୁଆଡେ ଶୁଷ୍କ କରି ତାର 

 ବାତଚକ୍ରରେ ଉଡାଇନେଲା।

 ସବୁ ଅଛି କିଛି ନାହିଁ

 ସବୁ ନିଃସ୍ୱ ସବୁ ଶୁଷ୍କ ସବୁ ନିଃଷ୍ପ୍ରଭ

 ମୁଁ ଅଛି!!!ମୋ ଜୀବନି ଶକ୍ତି କିନ୍ତୁ

 ଶେଷ ସୋପାନରେ 

 ମୁଁ ଛାଡି ପାରୁନି କି ଧରିପାରୁନି

 ମୁଁ ମୋ ନିଜକୁ ଆବିଷ୍କାର 

 କରୁଛି ଏକ ଦୋଛକିରେ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy