ଦୀପାଳିର ଶେଷ ଦୃଶ୍ୟ
ଦୀପାଳିର ଶେଷ ଦୃଶ୍ୟ
ଥପ୍ ଥପ୍ ନିଗିଡି ପଡୁଛି ମହମ
ସରି ସରି ଆସୁଛି ଦୀପାବଳି
ସରି ସରି ଆସୁଛି ମିଂଜି ମିଂଜି
ଜଳୁଥିବା ଦୀପର ସଳିତା
ନିଷ୍ପ୍ରଭ ହେଲାଣି ସଂଜର
ମଧୁର କୋଳାହଳ
ପବିତ୍ର ସମ୍ମୋହନ ।
ନିସ୍ତେଜ ହେଲାଣି
ଆତସବାଜିର ତୀବ୍ର ପ୍ରକମ୍ପନ
ଲିଭି ଲିଭି ଆସୁଛି
ନାଲି ନେଳି ଆଲୋକର ମାଳା
ଲୁହ ଝରାଉଛି ନବବଧୂ ବେଶେ
ସୁସଜ୍ଜିତା ଏ ସହର
ରାଜପଥ ,ନଭଶ୍ଚୁମ୍ବି ଅଟ୍ଟାଳିକା
ତୋରଣ, ମନ୍ଦିର ।
ସମୟର ଘୋଡା ଦୌଡ
ଧାଉଁଛି ଆଗକୁ ଆଗକୁ
ଟେବୁଲ ଘଣ୍ଟାର ଅବାରିତ
ଟିକ୍ ଟିକ୍ ଶବ୍ଦରେ,
ରାତ୍ରି ର ଗାଢ ନୀରବତା
ସ୍ପଷ୍ଟ ବାରି ହୋଇ ପଡୁଛି
ଝିଂକାରିର ଝଂକାର ତାଳେ ତାଳେ ।
ସବୁତକ ଆତ୍ମୀୟତା
ଅସ୍ପଷ୍ଟ ହେଲାଣି ଧୀରେ ଧୀରେ
ସମ୍ପର୍କର ସ୍ବର ବେସୁରା ଶୁଭୁଛି
ରକ୍ତ ପିପାସୁ ଜହ୍ଲାଦମାନେ
ସକ୍ରିୟ ହେଲେଣି ପୁନଶ୍ଚ
ଲୁଟିନେବାକୁ
ଯାହା କିଛି ବାକି ଅଛି
ମଣିଷପଣିଆ ଓ ନିଷ୍କପଟ
ଦରଦି ହୃଦୟ ।
ସମୟର ସୁସଜ୍ଜିତ ପୂର୍ଣ୍ଣକୁମ୍ଭ
ବିବର୍ଣ୍ଣ ହେଲାଣି
ଫିକା ଫିକା ଲାଗିଲାଣି
ମାଟିର ସୌହାର୍ଦ୍ଦ
ଆକାଶର ନିର୍ମଳ ସୌନ୍ଦର୍ଯ୍ୟ ।
ସରି ସରି ଆସୁଛି ଆୟୁଷ
ଅବସାଦ ଓ ଅନ୍ତର୍ଦାହର
ନିଷ୍ଠୁର ଘାତଚକ୍ରରେ
ଝରିପଡୁଛି ସ୍ଵେଦ ବିନ୍ଦୁ
ଆଂଜୁଳା ଆଂଜୁଳା ଲୁହ,
ତଥାପି ସଂଘର୍ଷ ଚାଲିଛି ଚାଲିଥିବ
ସମୟର ବଡଦାଣ୍ଡ ରେ
ଝଲମଲ ହେଉଥିବ
ପାଦ ଚିହ୍ନ ଯୁଗରୁ ଯୁଗ ପର୍ଯ୍ୟନ୍ତ ।
ଶରତ କୁମାର ଦାସ