ବର୍ଷା ଓ ବିରହ
ବର୍ଷା ଓ ବିରହ
ବିରହିଣୀ ପ୍ରିୟା ମନ ଅମାନିଆ
ମାନେ ନାହିଁ ବନ୍ଧ ବାଡ
ବରଷାକୁ ଦେଖି ଛଳଛଳ ଆଖି
ବହେ ଲୋତକର ଧାର ।
ଲେଖଇ ଚିଟାଉ ପଠାଏ ବାରତା
ଜଣାଇ ହୃଦୟ ବ୍ଯଥା
କରେ ନିବେଦନ ପ୍ରିୟତମ ଏକା
ବୁଝ ସିନା ମନ କଥା ।
ଘରଠାରୁ ଦୂରେ ପ୍ରବାସରେ ରହି
ହେବନାହିଁ ଆନମନା
ଯିବନାହିଁ ଭୁଲି ଦୁଃଖିନୀ ପତ୍ନୀକୁ
ନିଷ୍ଠୁର ହେବନି ଜମା ।
ଆକାଶକୁ ଏବେ ନ ପାରୁଛି ଚାହିଁ
ଲାଜେ ନଇଁଯାଏ ଆଖି
ମୋ ମନ ମୟୂରୀ ହୁଏ ନିରିମାଖି
ନୂଆ ମେଘମାଳା ଦେଖି ।
ସବୁଜ ସ୍ବପନେ ମନ ଛନ୍ନ ଛନ୍ନ
ପହିଲି ବରଷା ଛୁଆଁ
ତୁମ ବିନା ରଜ ପରବ ଅଧୁରା
ଅଲଣା ସାରା ଦୁନିଆଁ ।
ଦୁଃସହ ବର୍ଷାରେ ବିରହର ଜ୍ଜ୍ବାଳା
ପ୍ରିୟତମ ଶିଘ୍ର ଆସ
ପକାଉଛି ରାଣ ଆସିବ ନିଶ୍ଚୟ
କରିବ ନାହିଁ ନିରାଶ ।

