ପହିଲି ଶ୍ରାବଣେ କାଉଡି ଭାଇ
ପହିଲି ଶ୍ରାବଣେ କାଉଡି ଭାଇ
ପହିଲି ଶ୍ରାବଣ ଆଦ୍ୟ ସୋମବାର କାଉଡ଼ିଆ ଭାଇ ଭାର,
ବୋହି ଖାଲି ପାଦେ ଦଉଡୁଛି ଶିବାଳୟେ ତୋଳି ନଦୀ ଜଳ;
ବମ୍ ବମ୍ ଭୋଳା ନାଥ;
ପାରିକର ପ୍ରଭୁ ଏ ସଂସାର ସାଗରୁ ଘେନ ଆରତୀ ଆରତ ।।
ପବିତ୍ର ମାସର ପହିଲି ସକାଳ ସୋମବାରେ ଶିବ ଭକ୍ତ,
ଜଳ ଲାଗି କଲେ ମିଳଇ ଅଚିରେ ଫେଡି ଅକାଳ ଦୂରିତ;
ଅନେକ ଆଶା ବିଶ୍ଵାସ;
ନେଇ ଭକ୍ତ ଗଣ ଆନନ୍ଦ ମନରେ କରନ୍ତି ଜଳାଭିଷେକ ।।
ଘୋର ବର୍ଷାକାଳ ଧାରା ଶିରାବଣ ଝରଝର ଝରେ ବାରି,
ଶିବାଳୟେ ଭକ୍ତ ହେଲେ ରୁଣ୍ଡୀଭୂତ ତାକୁ ଖାତର ନକରି;
ବିପଦେ ଆପଦେ ସଦା;
ସାହା ହେବେ ସେହି ବ୍ରହ୍ମାଣ୍ଡ ଈଶ୍ଵର ସତ୍ୟ ପଥରେ ଚାଲୁଥା ।।
ସତ୍ୟ-ଶିବ ସେ ତ ସୁନ୍ଦର ମୂର୍ତ୍ତି ସେହି ତ ମଙ୍ଗଳମୟ,
ମଙ୍ଗଳ ବାରତା ଦେବେ ସତ୍ୟେ ଥିଲେ ଏହି କଥା ପରା ଥୟ;
ଆବିଳ ପଙ୍କିଳ ମନ;
ଦୂରେ ଫିଙ୍ଗିଦେଇ ନିର୍ମଳ ମନରେ କର ଶିବ ନିରାଜନ ।।
ଥରେ ମନେ ଭାବ କାଉଡ଼ିଆ ଭାଇ ଦୁନିଆ ଯାଉଛି ଭାସି,
ଉଶୃଙ୍ଖଳ ୟେ ସମାଜେ ଜୀବନ ଦହଗଞ୍ଜ ଭୋଗୁଅଛି;
ବେଳ ବଦଳାଇ ଦେବେ;
ସୁସ୍ଥ ମନରେ ଜଳଲାଗି କଲେ ଦୁର୍ଦ୍ଦିନ କଟିବ ଲବେ ।।
ସେକଥା ବିଚାରି ଧ୍ୟାୟୀ ତ୍ରିପୁରାରି ସଂସାର ମଙ୍ଗଳ ହେଉ,
କାଉଡ଼ିଆ ଭାଇ ହରଷେ ତୁ ଯାଆ ତୋର ଜଳଲାଗି ହେଉ;
ଅକର୍ମ କର୍ମ ଦାୟକ;
ଶିବ ଶିବ ନାମେ ଗଗନ ପବନ ହୋଇଯାଉ ପ୍ରକମ୍ପିତ ।।