ବର୍ଷାର ଅପୂର୍ବ ଅନୁଭବ
ବର୍ଷାର ଅପୂର୍ବ ଅନୁଭବ
କଅଁଳି ଉଠଇ ଶୁଷ୍କ ମରୁପ୍ରାନ୍ତ
ମନ ହୁଏ ଛନ୍ନ ଛନ୍ନ
ବର୍ଷା ଆଗମେ ଲାଗେ ନୂଆ ନୂଆ
ଭାବୁକ ହୁଏ ତଲ୍ଲୀନ ।
ବତୁରେ ସବୁଜ ସ୍ବପନ କଳ୍ପନା
ପ୍ରେମପ୍ରୀତି ଅନୁରାଗ
ନିସ୍ରବେ ସ୍ବଚ୍ଛନ୍ଦେ କାବ୍ଯ ମନ୍ଦାକିନୀ
ସୁମଧୁର କୁଳୁନାଦ ।
ପୁଲକେ ଜୀବନେ ଉତ୍ସାହ ଆନନ୍ଦ
ଉନ୍ମେଷେ ଆଶା ଅଙ୍କୁର
ସଞ୍ଚରେ ଦେହରେ ମୃଦୁ ଶିହରଣ
ବିଭୋରେ ପ୍ରାଣ ଚକୋର ।
ଖୋଜଇ ତତ୍ପରେ ବିନ୍ଦୁରେ ସିନ୍ଧୁକୁ
ଉଚ୍ଚାଟେ ନୀଳ ସମ୍ମୋହ
ଶବଦ ଅକ୍ଷରେ ହୁଏ ନିନାଦିତ
ଜୟ ଜୀବନର ଜୟ ।
ବରଷା ସଂସର୍ଗେ ବାସେ ଭୁରୁ ଭୁରୁ
ହସେ ମାଟି ସବୁଜିମା
ଗୃହ ବଇକୁଣ୍ଠେ ନନ୍ଦନ ସୁଗନ୍ଧ
ଗୁଞ୍ଜେ ମଧୁର ମୂର୍ଚ୍ଛନା ।
ବରଷା ଦିଅଇ ଢାଳି ଶୁଭାଶିଷ
ଅମୃତର ଅନୁଭବ
ମହାର୍ଘ ବୈଭବେ ମହିମା ମଣ୍ଡିତ
ଅପୂର୍ବା ହୁଅ ସମ୍ଭବ ।
