STORYMIRROR

SUJATA DAS

Romance Fantasy

4  

SUJATA DAS

Romance Fantasy

ବିଶ୍ଳେଷଣ

ବିଶ୍ଳେଷଣ

1 min
251


ପାପ ଓ ପୁଣ୍ୟର

  ହିସାବ ଖାତାରେ

    କଷିଛି ହଜାରେ ଥର

ପବିତ୍ର ପାପରୁ

   ଆଞ୍ଜୁଳାଏ ତୁମେ

    ମୁଁ ଅପବିତ୍ର ପୁଣ୍ୟ ଝର।


ଶବ୍ଦ ମହଲର

   ମୃଦୁ ଗୁଞ୍ଜରଣେ 

    ଶୁଣିଛି ହଜାରେ ଥର

ଲେଖନୀରେ ତୁମ

  ଅମୃତ ରାଗିଣୀ

   ମୁଁ ଭଗ୍ନ ବୀଣାର ସୁର।


ବେଳାଭୂମି ପରେ

  ବାଲୁକା ଛାତିରେ

    ଦେଖିଛି ଅନେକ ଥର

ତରଙ୍ଗରେ ତୁମ

   ସ୍ବପ୍ନର ଜୁଆର

     ମୁଁ ଶୁଷ୍କ ନଦୀର ଝର।


ଆକାଶ ବୁକୁରେ

  ବଉଦ ମେଳରେ

    ଦେଖିଛି ମୁଁ ବାର ବାର

ତୁମେ ସୌଦାମିନୀ

   ଉଜ୍ବଳ ଝଲକ

     ମୁଁ ଘନଘୋଟ ଅନ୍ଧକାର।


ବୈଶାଖ ଶ୍ରାବଣ

  ସମୀର ସ୍ପର୍ଶରେ

    କରିଛି ମୁଁ ଅନୁଭବ

ତୁମେ ଶ୍ରାବଣର

  ମଧୁର ମୂର୍ଚ୍ଛନା

    ମୁଁ ବୈଶାଖୀର ପରାଭବ।


ପୂର୍ଣ୍ଣମୀ ରାତିର 

  ତୁମେ ତ ଚନ୍ଦ୍ରମା 

    ଶୀତଳ ପୁଲକ ସ୍ପର୍ଶ 

ଅମାବାସ୍ୟା ତିଥି

  ଅନ୍ଧାର ରାତିର 

    ମୁଁ ଅତୃପ୍ତ ଅଭିଳାଷ।


ଝରା ଶେଫାଳିର

  ଶୁଭ୍ର ପାଖୁଡ଼ାରେ

    ତୁମେ ସନ୍ତୁଷ୍ଟିର ବାସ

ଶରତ ଆକାଶ

  ଶୂନ୍ୟକାନ୍ଥେ ଅଙ୍କା 

     ମୁଁ ମୋନାଲିସା ଶୁଷ୍କ ହସ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance