ବର୍ଷା ତୁମେ ଅଭିମାନୀ
ବର୍ଷା ତୁମେ ଅଭିମାନୀ
ଅକାରଣେ ରାଗୁଥିଲ ତମେ
ଭିଜିଗଲ ବୋଲି ଅବେଳରେ
ଅଦିନିଆ ବର୍ଷାରେ
ତମ ଫେରନ୍ତା ବାଟରେ ।
ତିଳେ ମାତ୍ର ଭାବିଛ କି କେବେ ?
ବର୍ଷା ମନର କଥାକୁ,
ମନ ଭିତରେ ଜମାଟ ବାନ୍ଧିଥିବା
ଘନିଭୁତ ଦୁଃଖର ହିମାଳୟ
କାହିଁକି ତରଳେ ହାଲକାଏ ପବନରେ ?
ଝର ଝର ବହୁଥିବା
ଅବିଶ୍ରାନ୍ତ ଆଖିର ଲୁହକୁ
ପୋଛିଦେଇ ତମ ପିନ୍ଧା କାନିରେ
ପଚାରିଛ କି କେବେ !
କେତେ ଖୁସି ପାଉଥିଲା ସେ
ତମ ଦେହକୁ ଛୁଇଁବାରେ ।
ତୁମ ଦେହର ଶୀତଳ ସ୍ପର୍ଶରେ
କେମିତି ମେଣ୍ଟାଉ ଥିଲା ତା’ର
କେବେ ମେଣ୍ଟୁ ନ ଥିବା କାମନାର ତୃଷ୍ଣା,
ଶୂନ୍ୟତାରୁ ପରିପୂର୍ଣତା ଲଭିବାର ତୃପ୍ତି
ନିଃସଙ୍ଗତା ର ବିରହ ବ୍ୟଥା।
ତମେ ହିଁ ତ କହିଛ
ନିଜକୁ ତିଳ ତିଳ ଜାଳି
ଅନ୍ୟକୁ ଖୁସି ଦେବା ହିଁ ତ ଜୀବନ
ହେଲେ କାହିଁକି ଆଜି ଏ କାର୍ପଣ୍ୟତା ?