ମୋ ଜେଜେ
ମୋ ଜେଜେ
ଲମ୍ବା ପାଞ୍ଚ ହାତ ଧୋତି
ସଫେଦ ମଲ ମଲ
କାନ୍ଧରେ ଗାମୁଛା
ପଞ୍ଜାବୀ ଆକାଶି ରଙ୍ଗର
ପିନ୍ଧି ବାହାରିଲେ
ଛାପ ସ୍ପଷ୍ଟ ଦିଶେ-
ଜଣେ ସ୍ଵାଧୀନତା ସଂଗ୍ରାମୀର ।
ବେଳେ ବେଳେ କୌତୁହଳୀ ପିଲା ମନ
ଘୁରି ବୁଲୁଥାଏ ତାଙ୍କ ଚାରିପଟେ
ଆଶ୍ଚର୍ଯ୍ୟ ହୁଏ କେତେ ଅନାୟସରେ
ପିନ୍ଧି ନିଅନ୍ତି ସଜାଡି ହୋଇ
ସତରେ ଧୋତି ପିନ୍ଧିବାଟା-
କଣ କେଉଁ କଳାଠୁ କମ୍ ଯେ ?
“ମଧୁଟା ଏ ଯାଏ ଧୋତି ପିନ୍ଧା ଶିଖିଲାନି”
ମୃଦୁ ଅଭିଯୋଗରେ ଜେଜେ ଙ୍କୁ ଖୁସି କରିବାର
ପ୍ରଚେଷ୍ଟାରେ ବାପା ପିନ୍ଧନ୍ତି କେବେ କ୍ଵଚିତ ।
ପୂଜାରେ ବା କନ୍ୟାଦାନ ବେଳେ
ମାଉସୀ ମାନଙ୍କ ଟାହି ଟାପରାରେ
ବାରି ପଡେ ବାପାଙ୍କ ଅପରିପକ୍ଵ ପିନ୍ଧା ଶୈଳୀ ।
ଏତେ ଶୀଘ୍ର ମାନି ନେଇଥିଲେ ବାପା
କେମିତି କେଜାଣି
ଜେଜେଙ୍କ କଥାକୁ
ତାଙ୍କ ପରେ ପରେ ନିଜେ ବି ଘୋଡି ହୋଇ ଧୋତି
ପହଞ୍ଚିଗଲେ ପୁରୀ ସ୍ଵର୍ଗ ଦ୍ଵାରେ ।
ଏବେ ଖାଲି ଦେଖା ମିଳେ ଚଉତା ହୋଇ
କେତେଖଣ୍ଡ ଗାଁ ଘର ଆଲମୀରାରେ
ରହି ରହି ପାଲଟିଲାଣି ଈଷତ ହଳଦିଆ
କିନ୍ତୁ ସ୍ମୃତି ସବୁ ମଧୁର ଚକ ଚକ ଏ ଯାଏ-
ଧଳା ଧୋତି ଭଳି !