ଆଷାଢ ରାତି
ଆଷାଢ ରାତି
ଆଷାଢ ରାତିରେ ଲାଗେ ଅସ୍ତବ୍ୟସ୍ତ
ଗଡିଗଲେ ସଞ୍ଜ ବେଳ
ଚାହେଁ ମନପକ୍ଷୀ ଲେଉଟିବ ନୀଡ
ବିଳମ୍ବେ ନୁହଁ ସଅଳ ।
ଚମକେ ବିଜୁଳି ଗରଜେ ବାଦଲ
ବରଷଇ ଝିପିଝିପି
ଗରଜଇ ନିଶା ଝିଙ୍କାରୀ ଟଙ୍କାରି
ବେଙ୍ଗୁଲି ଛାଡଇ ରଡି ।
ଭିଜେ ରସରାସେ ପ୍ରଲମ୍ବିତ ରାତ୍ରୀ
ମନ ଗୋପ ବୃନ୍ଦାବନ
ମଧୁର ଆଳାପେ ବିତଇ ସମୟ
ନିବିଡେ ଭାବ ସମ୍ବନ୍ଧ ।
ବିଭୋରେ ଜୀବନ ସବୁଜ ସ୍ବପନେ
ଆସଇ ରଜ ମଉଜ
ଝୁଲଇ ଦୋଳିରେ କନ୍ଯା ରଜବତୀ
ଚାଲେ ନୂଆ ସଜବାଜ ।
ପାଚଇ ପଣସ ଜାତି ଜାତି ଆମ୍ବ
ମହକଇ ପୋଡପିଠା
ଭିଡ ବଡଦାଣ୍ଡେ ଗୁଣ୍ଡିଚା ବାହୁଡା
ହୁଏ ପର୍ବ ରଥଯାତ୍ରା ।
କରେ ଅର୍ନ୍ତମୁଖୀ ଆଷାଢ ରଜନୀ
ଦିଏ ସୁଖ ଅବସର
ପ୍ରିୟ ପରିଜନ ସଜନୀ ସଙ୍ଗତେ
ଅବସାଦ ହୁଏ ଦୂର ।
