ଧନ ମୋ ଯାଇଛି କେଣେ
ଧନ ମୋ ଯାଇଛି କେଣେ
ଅଦିନିଆ ମେଘ ମାଡ଼ି ଆସିଲାଣି
ଧନ ମୋ ଯାଇଛି କେଣେ ,
ଘଡ଼ଘଡ଼ି ସହ ପବନ ବୋହୁଛି
ଡାକି ଥକିଲିଣି ଏଣେ ।
ନେତି ନାନୀ ଆଲୋ ଦେଖିଛୁକି କାହିଁ
ମୋ 'ମନୁଆ' ଆସିବାର ,
ଚମ୍ପା କହୁଥିଲା-ଦେଖିଥିଲା ତାକୁ
ସନା ସଙ୍ଗେ ଖେଳିବାର ।
ଦ୍ବିପହରେ ଗଣ୍ଡେ ଖାଇଦେଇ ସେ ତ
ଶୋଇଥିଲା ମୋର କୋଳେ ,
ଉଠିକରି ମୁହିଁ ଦେଖିଲା ବେଳକୁ
ପଳେଇଛି କେତେବେଳେ ।
ଛତାଟା ତ ଏଣେ ଘରେ-ମୁଁ ଧରିଛି
ବର୍ଷାରେ ସେ ଭିଜୁଥିବ ,
ଅଦିନିଆ ମେଘ ଧରିଲେ ତାହାକୁ
ସନ୍ନିପାତ ମାରିନେବ ।
ସେଦିନ ବାବୁଲା ଝଡ଼ ବତାସରେ
ଗୋଟାଉ ଥିଲା ଯେ ଆମ୍ବ ,
ତାଆରି ଉପରେ ଡାଳ ଭାଙ୍ଗି ପଡ଼ି
ଫାଟି ଯାଇଥିଲା ମୁଣ୍ଡ ।
କହିଦେଇ ଯଦି ଯାଇଥା'ନ୍ତା ମୋତେ
ଧରିଥା'ନ୍ତି ଟିକେ ଥୟ ,
ବରଷା, ପବନ,ବିଜୁଳିକୁ ଦେଖି
କରୁ ନ ଥା'ନ୍ତି ମୁଁ ଭୟ ।
ଯେତେ କହିଲେ ମୋ 'ମନୁଆ' ମାନୁନି
କିସ ମୁଁ କରିବି ଏବେ ,
ଧନଟା ମୋହର ଚଗଲାମି ଛାଡ଼ି
ବୁଝିବାର ହେବ କେବେ !!
