ସପନ ଦୁନିଆଁ
ସପନ ଦୁନିଆଁ
ଅସୁମାରୀ ସୁଖ ଭରିଥିଲା ମନେ
ଦେଖିଥିଲି ସ୍ବପ୍ନ ଦିନରେ
ପିତାମାତାଙ୍କର ଗେଲ୍ହା ହୋଇଥିଲି
ସବୁଥିଲା ମୋର ପାଖରେ l
ବୋଉ କାନିଟାକୁ ଧରି ଚାଲୁଥିଲି
ବାଡ଼ିଠୁ ଦାଣ୍ଡ ଦୁଆରରେ
ଅଳି କରିଦେଲେ ସବୁ ମିଳୁଥିଲା
ଖେଳୁଥିଲି ସାଙ୍ଗ ମେଳରେ l
ସଞ୍ଜେ ଜେଜେ ମାଆ ପାଖେ ରହୁଥିଲି
ଧରୁଥିଲା ମୋତେ କୋଳରେ
ଆଦର ଯତନ କେତେ ନେଉଥିଲା
କହିପାରିବି ନି ତୁଣ୍ଡରେ l
ବାପାଙ୍କୁ ଦେଖିଲେ ଡେଇଁ ପଡୁଥିଲି
ଭୟ ନଥିଲା ମୋ ମନରେ
ବାପଧନ କହି ଗେଲ କରୁଥିଲେ
ଅଝଟ କରିଲା ବେଳରେ l
ସୁସ୍ୱାଦୁ ଭୋଜନ ଯେବେତ ଆସିଛି
ଛଡେଇ ନେଇଛି ହାତରେ
ସବୁଯାକ ମୁହିଁ ଏକେଲା ଖାଇଛି
ଆସିନାହିଁ କେହି କତିରେ l
ବୋଉ କୋଳେ ମୁହିଁ ଶୋଇ ଯାଇଥିଲି
ଛାତି ଥରିଗଲା ମାଡ଼ରେ
ନିଦ ଭାଙ୍ଗିଗଲା ନଜର ଆସିଲା
ନାତି ପିଟୁଛି ବିଂଛଣାରେ l
ସପନ ଦୁନିଆଁ କ୍ଷଣକେ ହଜିଲା
ପତ୍ନୀ ହସୁଅଛି ଆଗରେ
ବୁଢାଟା ହେଲଣି ସରମ ଆସୁନି
ଭାସୁଥିଲ କାହା ପ୍ରେମରେ l
ସପନ ଦୁନିଆଁ କେତେ ଚମତ୍କାର
କହି ପାରିବିନି ଆଗରେ
ବାପା ମାଆ ମୋର କ୍ଷଣକେ ହଜିଲେ
ନାତି ଦେଇଦେଲା ପ୍ରହାରେ l