ଏମିତି ଏ ଜୀବନ ଗୀତି
ଏମିତି ଏ ଜୀବନ ଗୀତି
ଜୀବନ ଲାଗେ କେବେ ଭାଦ୍ରବେ
ଭୋଦୁଆ ଆକାଶ କଇଁଆ
କେବେ ଶ୍ରାବଣ ଶାଗୁଆ ଫରୁଆ
ଜୀବନ ସଳିତା ସବୁଜ ସବୁଜ
ପାଦ ହୋଇଲେ ଆଗୁଆ
ଜୀବନର ନାଲି ହସେ ମଖମଲ୍ଲୀ
ଶୁଭ୍ରତାରେ ଲାଗେ ନିଆଁ
ଜୀବନ ଦହନ ହଳଦିଆ ଖାଲି
ସାୟାହ୍ନେ ବାତାସୀ ବାଆ
ଶୀତ ଲାଗେ ମିତ ଗୋଲାପୀ ପାଖୁଡା
ରଜନୀଗନ୍ଧା ଡାକେ ଆ
ବୟସର କୃଷ୍ଣଚୂଡ଼ା ମୂଳେ
କାକରେ କୋକୁଆ ଠିଆ
ସମୟ ସରିନି ଆସୁଛି ଯାଉଛି
ବରଷ ବରଷା ଅଦିନିଆ
ସବୁ ଋତୁ ମତେ ସବୁଜ ସବୁଜ
ତୁମରି ପହିଲି ଛୁଆଁ
ମିଠା ସ୍ମୁତି ଭରି ଲାଗେ ଭାରି ଭାରି
ଋତୁ ସବୁ ଲାଗେ ନୂଆ
ପହିଲି ପହିଲି ଇନ୍ଦ୍ରଧନୁ ରଙ୍ଗ
କରେ ସିନା କିମିଆ
ବୟସ ଗଡ଼ିଲେ ସମୟ ସାଥିରେ
ଦିଏ ନାହିଁ ଧରାଛୁଆଁ
ମନ ବୁଝିଗଲେ ଆଖିତ ବୁଝେନା
ଜଳଛବି କିଆଁ ଅଦିନିଆଁ
ଜୀବନର ରଥ ପଥ ଜଗନ୍ନାଥ
ବାତାସୀ ବାଧାରେ ଅଧାରେ ଠିଆ
ଭାବରେ ଭାବରେ ଚତୁର୍ଦ୍ଧାଙ୍କ ସାଥିରେ
ସମୟ ଓ ବୟସର ଦୁଇ ନାଆ
ରଙ୍ଗରେ ରଙ୍ଗରେ ରଙ୍ଗୋଲି ହୋଇ
ଡାକୁଥାଏ ଦି ଘଡି ରହି ଯାଆ ।
