ଦେବୀ ପ୍ରତିମା
ଦେବୀ ପ୍ରତିମା
ମନ୍ଦିରମାଳିନୀ ନଗରୀ ମଧ୍ୟରେ
ଏକ କ୍ଷୁଦ୍ର ଦେଉଳରେ
ପାଷାଣ ପ୍ରତିମା ପାଉଥିଲେ ଶୋଭା
ତହିଁ ଆସ୍ଥାନ ଉପରେ।
ଶିଳ୍ପ କଳାର ଚାତୁରୀ ଦେଖି ମୁଁ
ହୋଇଥିଲି ବିମୋହିତ
ଫୁଟି ଉଠୁଥିଲା ତାଙ୍କ ଓଠେ ହସ
ଲାଗୁଥିଲେ ସେ ଜୀବନ୍ତ।
ମୃତ୍ୟୁ ଯାତନାରୁ ମୁକ୍ତ ଥିଲେ ସେ
କାଳାତୀତ,ସୀମାତୀତ
ସବୁ ସୁଷମାର ଅଧିକାରିଣୀ ସେ
ରୂପରେ ଯା ପ୍ରକଟିତ।
ଶକ୍ତିମୟୀ ସେ ବିଶ୍ଵ ଜନନୀ
ଆପଣା ଇଚ୍ଛା ବଳେ
ଅତଳ ଗହ୍ଵର,ନିଶ୍ଚେତନାକୁ
ଆନନ୍ଦେ ଆବୋରି ନେଲେ।
ହେଲେ ବି ମଉନ ତାଙ୍କଠାରେ ସବୁ
ଶକତି ହୋଇଛି ଠୁଳ
ସସାଗରା ଧରା ଯାହାଙ୍କ ଇଙ୍ଗିତେ
ହୁଅଇ ଚଳଚଞ୍ଚଳ।
ରୂପ ଧାରଣର କାରଣ ଏବେ ବି
ରହିଛି ରହସ୍ୟାବୃତ୍ତ
ମନ ଆବରଣେ ନିଜକୁ ଗୋପନେ
ରଖି ହୋଇଲେ ଅଜ୍ଞାତ ।
ଆତ୍ମା ଆମର ଯେପର୍ଯ୍ୟନ୍ତ ତାଙ୍କୁ
ଦେଖିନି କି ଶୁଣିନାହିଁ
ପାଷାଣ ପ୍ରତିମା ହେଲେ କାହିଁକି ସେ
ଦେବୀ ନୀରବ କିମ୍ପାଇଁ ।
ଅଚଳ ରୂପକୁ କରାଏ ସଚଳ
ଶରଧା ବଳେ ପୂଜାରୀ
ବସ୍ତ୍ରେ ବିମଣ୍ଡିତ ହୋଇଲେ ପ୍ରତିମା
ସୁନ୍ଦରତା ଯାଏ ଭରି।
