ଚିଠି ଏକ ଆତ୍ମଲିପି
ଚିଠି ଏକ ଆତ୍ମଲିପି
ମୁଁ ତ..
ଏମିତି ଗୋଟେ
ଠିକଣା ବିହୀନ ଚିଠିଟିଏ ,
ନାଁ ପହଂଚି ପାରେ ମୋର
ସେ ଅଭୀଷ୍ଟ ଗନ୍ତବ୍ୟର ଇପ୍ସିତ ଇଲାକାରେ..
ନାଁ, ପହଞ୍ଚି ପାରେ ମୋର ସେଇ ପ୍ରାଣବନ୍ତ,
ପ୍ରିୟତମ ଗ୍ରାହକଙ୍କ ଅବସନ୍ନ ସାନ୍ନିଧ୍ୟ ନିକଟରେ..!
ଅଜ୍ଞାତ, ଅପହଞ୍ଚ,ନିରୁଦ୍ଧିଷ୍ଟ ତ ମୁଁ..
ମୋର ସେଇ ପ୍ରିୟତମଙ୍କ ଅନିର୍ଦ୍ଧିଷ୍ଟ ଠିକଣାରେ,
ଅଵଜ୍ଞାତ,କକ୍ଷ ଚ୍ୟୁତ ହୋଇ ରହିଯାଏ
ମୋର ସେଇ ଅଣ ସ୍ୱୀକୃତ ପ୍ରେରକଙ୍କ
କେଉଁ ଅଲିଖିତ ପ୍ରଲେପର ଅପହଞ୍ଚ ଅଭିପ୍ସାରେ..!
ନାଁ, ସ୍ଥିର ହୋଇ ରହିପାରେ ସେଇ
ନୀରବ,ନିଃଶ୍ଚୁପ ଡାକ ବାକ୍ସ ଭିତରେ,
ନାଁ ଅଫେରନ୍ତ ରହିଯାଏ, ଡାକଘରର
ସେ ନ୍ୟସ୍ତ,ନିବୁଜ,ନିଃସ୍ଵ କୋଠରୀର
ନିର୍ଲିପ୍ତ, ନିରଳସ ଚଉତ ଭିତରେ..,
ଭଙ୍ଗା ମନର ସେ ଅନିର୍ବଚନୀୟ ଆବେଗରେ..!
ନାଁ ଫେରିଯାଏ ନିର୍ନିମେଷ ହୃଦୟରେ,
ଅହର୍ନିଶ କେଉଁ ନିଷ୍ପ୍ରଭ ଫେରନ୍ତା ଡାକରେ..,
ଏବେ ନିଷ୍ପତ୍ତି ଯେ କାହାର..?
ହଜିବା ଠିକଣାଟା ତୁମର, ନାଁ ମୋର,
ଯଦି ଜାଣିଛ, ତେବେ କହି ଦିଅନା..?
ହଜିଯିବା ପୂର୍ବରୁ ଅନ୍ତତଃ ପହଂଚି ଯାଉ
ତା'ର ସେଇ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ସ୍ଥଳରେ,
ଅବିଚଳିତ ଭାବରେ, ଅବିରତ, ଅବିରାମରେ..!
ଠିକ ତୁମର ସେଇ ଅନାବିଷ୍କୃତ
ଅସୀମିତ ଠିକଣାର ଲବ୍ଧ ଆସ୍ଥାନ ପାଖରେ..!
ଚିଠିଟି ପ୍ରତି ନାଁ ଥିବ କାହାର
ଅସୂୟା ଭାବ, ନାଁ କେଉଁ ଅକୃତଘ୍ନ
ହୀନ ମାନ୍ୟତାର ଅସହ୍ୟ ସଣ୍ଠଣା,
ନାଁ ଥିବ କିଛି ଉକ୍ତି,ଅତ୍ୟୁକ୍ତି, ଅତି
ରଂଜିତ ଭତ୍ସନା ପୂର୍ଣ୍ଣ ଆଖ୍ୟାୟିକାର
ଅସହିଷ୍ଣୁ ଦରଦୀ ପଣରେ..,
ନାଁ ଥିବ କେଉଁ କୁଣ୍ଠିତ ଠିକଣା ହୀନ
ଗ୍ରାହକଙ୍କ ପ୍ରତି କିଛି ଅପ୍ରତିମ ଗଞ୍ଜଣା,
ନାଁ ଲୋଡ଼ା ହେବ କେଉଁ ପ୍ରେରକଙ୍କ
ପ୍ରତି ଅକିଞ୍ଚନ ଯାତନା,ଅହେତୁକ ପ୍ରବଞ୍ଚନାରେ..!
ହଁ, ମୋ ଠି ତ ଅନେକ ରାତିର ଝଡ଼,
ଅନେକ ସ୍ବପ୍ନର ଝାଞ୍ଜି,
ମେଁଚି ମେଁଚି ଅନ୍ଧାର ତ,ପୁଣି କେତେ
ଜହ୍ନ ରୋଷଣୀର ଫୁଆର..
କେବେ ବସଂତର ମୃଦୁ ମଳୟ ତ
କେବେ ଶ୍ରାବଣର ମେଘ ମହ୍ଲାର,
କେତେ ମାନ, ଅଭିମାନ, କେତେ
ବର୍ଷା ଓ ବାଦଲର ଲୁଚକାଳି ଖେଳ,
ଏଇତ ମୋ ହୃଦୟର ଇତିବୃତ୍ତ,
ଆଉ, ମାଗୁଛି ଟିକିଏ ଅସ୍ତିତ୍ୱ..!
ଏଠି ପ୍ରତ୍ୟେକ ଦିନ ମୁଁ ଖୋଜେ
ମୋ ଅସମ୍ଭବ ନିରାପତ୍ତା,
କାଳେ ମୁଁ ହଜି ଯିବିନି ତ କେଉଁ ଅମା ଅନ୍ଧକାରେ,
କେଉଁ ଅଶରୀର କଳା ଘୁମର ମାୟା ଭିତରେ,
କେବେ ଲୁଚି ଯିଵିନି ତ କେଉଁ
ଅବଚେତନ ମନ ଅଳିନ୍ଦର ଶେଷହୀନ ନିଷ୍କୃତିରେ..!
କୁହ,ତୁମେ କଣ ମୋ ଜହ୍ନରାତିକୁ
ଫେରେଇ ପାରିବନି..?
ତୁମେ କଣ ସାଜିବନି ମୋର ସେ
ହଜିଲା ଅବ୍ୟକ୍ତ,ଅନ୍ତହୀନ ଠିକଣା,ମୋ ବିସ୍ମୃତିରେ..!
ମୋ ହଜିଯାଉଥିବା ଚିମୁଟାଏ
ଜ୍ୟୋସ୍ନାର ମଧୁର ଜହ୍ନରାତି,
ତୁମେ ମୋ ଅସରନ୍ତି ଆଶା, ଅଭିଳାଷର
ବିଶ୍ୱାସ ପୂର୍ଣ୍ଣ ତପ୍ତ ସ୍ବପ୍ନ ରାତି,
ଆଉ ନ ଥିବ, ଯୁଗାବଧି ନୀରବ,ନିର୍ଲିପ୍ତ
ଭାବନାର ଗାଢ଼ ଅନ୍ଧାର ପଣ,ସେ ଅବ ନିଃସୃତିରେ..!

