ଛନ୍ଦହୀନ ଏ ଜୀବନ
ଛନ୍ଦହୀନ ଏ ଜୀବନ


ଜୀବନଟା କେବେ ନୁହେଁ ଛନ୍ଦଯୁକ୍ତ,
ବେଳେବେଳେ ଛନ୍ଦହୀନ ।
ଛନ୍ଦହୀନ ଯଦି ଜୀବନେ ରହିବ,
ସାର୍ଥକ ହେବ ଜୀବନ ।।
ଛନ୍ଦହୀନ ଲାଗେ ମଧୁର ମଧୁର,
ଛନ୍ଦଯୁକ୍ତ ଲାଗେ ଖଟା ।
ସେଥିପାଇଁ ପରା ଫେଣ୍ଟାଫେଣ୍ଟି ଅଟେ,
ଆମ ଏଇ ଜୀବନଟା ।।
ସମୟ ସହିତ ତାଳଦେଇ ଚାଲେ,
ଏଇ ଧରାରେ ମଣିଷ ।
କେତେବେଳେ ମିଳେ ଖୁସି ପୁଣି ଆଉ,
କେତେବେଳେ ଦୁଃଖ,କ୍ଳେଶ ।।
ଛନ୍ଦହୀନ ହେଲେ ଏଇ ଜୀବନଟା,
ବଢଇ ଜନସମ୍ପର୍କ ।
ଛନ୍ଦଯୁକ୍ତ ହେଲେ ଆସେ ଅବିଶ୍ବାସ,
ହୁଅଇ ତର୍କ ବିତର୍କ ।।
ଛନ୍ଦ କପଟରେ ଭାଙ୍ଗଇ ସମ୍ପର୍କ,
ମନରେ ବିଷାଦ ଭରେ ।
ଛନ୍ଦ ନ ରହିଲେ ସ୍ନେହ ମମତା ଯେ,
ସମ୍ପର୍କ ଜାବୁଡି ଧରେ ।।
ଛନ୍ଦହୀନ ହେଲେ ଆମ ଚିନ୍ତାଧାରା,
କିଣଇ ସଭିଙ୍କ ମନ ।
ଜୀବନରେ ତେଣୁ ଭରିଦିଏ ଖୁସି,
ଛନ୍ଦହୀନ ଏ ଜୀବନ ।।