ଶ୍ରବଣ କୁମାର
ଶ୍ରବଣ କୁମାର
ଶ୍ରବଣେ ଶ୍ରଵଣ କର ସୁଧୀଗଣ
ଶ୍ରଵଣ କୁମାର କଥା
ଯୁଗ ଯୁଗାନ୍ତର ଅମ୍ଲାନ ସ୍ଵାକ୍ଷର
ଅପୂର୍ବ ଆଦର୍ଶବତ୍ତା ।
ଅନ୍ଧୁଣି ମାତର ଅନ୍ଧ ପିତାଙ୍କର
ଏକଇ ପ୍ରିୟ କୁମର
କୋଟି ତପ ଫଳ ପ୍ରାରବ୍ଧ ସମ୍ବଳ
ସର୍ବ ଜ୍ଞାନ ଗୁଣାକର ।
ପିତା ମାତାଙ୍କର ଲଉଡ଼ି ଅନ୍ଧର
ଦରିଦ୍ର ରଙ୍କ ରତନ
ହୃଦୟ ଚନ୍ଦନ ମାନସ ରଞ୍ଜନ
ସ୍ନେହ ପ୍ରେମ ଗଣ୍ଠିଧନ ।
ଜନନୀ ପିଅର ସେବାରେ ତତ୍ପର
ପିତୃ ମାତୃ ଭକ୍ତବର
ଈଶ୍ୱର ଈଶ୍ୱରୀ ସମ ଜ୍ଞାନ କରି
ପଦ ପୂଜେ ନିରନ୍ତର ।
ପିତା ଥିଲେ ଗୁରୁ ଜ୍ଞାନ କଳ୍ପତରୁ
ମାତା ବିଷ୍ଣୁପଦୀ ସମ
ସାଧି ସେହି ବିଦ୍ୟା ଶ୍ରବଣ ପ୍ରସିଦ୍ଧା
ଯଶ ଲଭି ଅନୁପମ ।
ବୈଦିକ କାର୍ଯ୍ୟରେ ବ୍ରାହ୍ମ ସମାଜରେ
ମଣ୍ଡିଥିଲେ ଶୀର୍ଷ ସ୍ଥାନ
ଅଧ୍ଵର ସଂପନ୍ନେ ବାସ୍ତୁ ଗ୍ରହାର୍ଚ୍ଚନେ
ଶ୍ରୁତି ଶାସ୍ତ୍ରେ ଅସାମାନ୍ୟ ।
ଇଷ୍ଟ ଅଭିଳାଷ ପୂରଣେ ପ୍ରୟାସ
ତୀର୍ଥାଟନାର୍ଥେ ଗମନ
ବେନି ଟୋକେଇରେ ଜନନୀ ପିଅରେ
ଭାର ବୋହି ଚାଲେ ଧନ ।
ସରଜୁ ତଟସ୍ଥ ନିଘଞ୍ଚ ବନସ୍ତ
ରବି ହେଉ ଅସ୍ତଗତ
ଚୂତ ତରୁ ତଳେ ବିଶ୍ରମୁ ସକଳେ
ତୃଷାରେ ପିତା ଆରତ ।
ଜଳ ଆନୟନେ ପେଷିଲେ ନନ୍ଦନେ
ଚଳେ ଧରି ମାଟି ଘଟ
ବୁଡ଼ାଉ ଝରଣା ଜଳେ ମହାମନା
ଶବଦ ହେଲା ପ୍ରକଟ ।
ଜଳ ଘାଟ କତି ସାକେତାଧିପତି
ମୃଗୟାର୍ଥେ ତତପର
ଶବ୍ଦ ଭେଦି ଶର ପେଷିଲେ ସତ୍ୱର
ପଡ଼େ କୁମାର ବକ୍ଷର ।
ହା ପିତେ ହା ମାତେ ଚିତ୍କାର କରନ୍ତେ
ଦଶରଥ ହରବର
ନର କଣ୍ଠ ସ୍ୱର ଜାଣି ନରବର
ମିଳି କୁମାର ପାର୍ଶ୍ଵର ।
କ୍ଷମା କର ଅକ ହେ ତାପସ ଅର୍କ
କଲି ବ୍ରହ୍ମ ହତ୍ୟା ପାପ
ଅଯୋଧ୍ୟା ରାଜନ ମୁହିଁ ଅକିଞ୍ଚନ
ଦିଅ ଯେତେ ଅଭିଶାପ ।
ଆତୁରେ ଶ୍ରଵଣ ଭାଷିଲା ବଚନ
ମୋର ଅନ୍ଧ ପିତା ମାତା
ତୃଷାତୁରେ ଥାଇ ଥିବେଟି ଅନାଇ
ଜଳ ଦେବ ହେ ମହାତ୍ମା ।
କହୁ ପଡ଼େ ଟଳି ରାଜା ଘଟ ଧରି
ମିଳି ଋଷିଙ୍କର କତି
ଥର ଥର ହାତେ ପ୍ରଣାମ ଜଣାନ୍ତେ
ହୋଇ କ୍ଷମା ଅନୁବର୍ତ୍ତୀ ।
ତୁମ ପୁତ୍ର ଵଧ କରିଛି ଅବଧ
ପତି ପାପୀ ଦଶରଥ
ଦିଅ ଅଭିଶାପ ହେ ଋଷି ପ୍ରତାପ
ଶରଣ ମୁଁ ପଦଗତ ।
ପୁତ୍ର ଆମ ପ୍ରାଣ ପୁତ୍ର ଆମ ତ୍ରାଣ
ତା ବିନା ବଞ୍ଚିବା କଷ୍ଟ
ପୁତ୍ର ସହିତରେ ଝାସିବୁ ଜଳରେ
ନିଅନ୍ତୁ ସରଜୁ ତଟ ।
ପୁତ୍ର ବିୟୋଗରେ ମରୁହତାଶରେ
ଅଭିଶାପ ଘେନ ଭୂପ
ପୁତ୍ର ବିଚ୍ଛେଦରେ ଦାରୁଣ ଦୁଃଖରେ
ତୁମ୍ଭ ପ୍ରାଣ ଯିବ ନୃପ ।
ଶ୍ରବଣ କୁମାର ଚରିତ ଅପାର
ରାମାୟଣ ଯୁଗ ସ୍ମୃତି
ଆଦର୍ଶ କୁମର ଦୃଷ୍ଟାନ୍ତ ଅମର
ଗଉରବୋଜ୍ଜ୍ୱଳ ଭୂତି ।