ବ୍ୟଥିତ ରାତ୍ରୀ
ବ୍ୟଥିତ ରାତ୍ରୀ
ନିଶବ୍ଦ ରାତିରେ ଶବ୍ଦ ସବୁ
ଶବ୍ଦାୟିତ ହୋଇ ଉଠନ୍ତି
ମୋ ମନ ଓ ହୃଦୟ ରେ।
ସିରି ସିରି ମଳୟ ପଵନ
ଵହିଲା ପରି ଆସି
ଅଣଚାଶ ମୂର୍ତ୍ତି ଧରି
ମନକୁ ମୋର ନେଇ ଯାଆନ୍ତି
ଏକ ଭିନ୍ନ ରାଇଜକୁ।
ପଞ୍ଚ ଇନ୍ଦ୍ରିୟ
ଏକାକାର ହୋଇ ଯାଆନ୍ତି
ଶବ୍ଦର ଚକ୍ରବ୍ୟୁହ ମଧ୍ୟରେ।
ସାତସମୁଦ୍ର, ତେର ନଈ,
ଵଣପାହାଡ ଘେରା ଗାଁ ଭୂଇଁ,
କଳ୍ପନାର ସପ୍ତଲୋକକୁ
ପରିଭ୍ରମଣ କରାଇ
ବାସ୍ତବ ଅଵାସ୍ତଵର ପସରା କୁ
ମେଲି ଦିଅନ୍ତି ମୋ ଆଖି ସାମ୍ନାରେ।
ଛଟପଟ କରି ପକାନ୍ତି ମୋତେ ,
ଵାଧ୍ୟ କରନ୍ତି ମୋତେ ଲେଖନୀ ଧରିବାକୁ।
ମୁଁ ତ ନାଚାର।
ବାଧ୍ୟ ହୋଇ ଶିଶୁଟି ପରି
ଓହ୍ଲାଇ ଦିଏ ଖୋଲା କାଗଜ ଉପରେ।
କେବେ କେବେ ଶବ୍ଦ ସବୁ
ମରୂଭୂମିର କାକଟସ୍ ପରି ଲାଗେ ତ
କେବେ କାକର ଭିଜା ସଦ୍ୟ ପ୍ରଷ୍ଫୁଟିତ
ଗୋଲାପ ପରି କମନୀୟ।
କେବେ ଶବ୍ଦ ସବୁ ନିଦାଘର ଝାଞ୍ଜି ଵାଆ ତ
କେବେ ବସନ୍ତର ମୃଦୁ ସମୀର।
କେବେ ନିଷ୍ପାପ ଶିଶୁର ଦରୋଟି ହସ ତ
କେବେ ବାର୍ଦ୍ଧକ୍ୟର ଉପହାସ।
କେବେ ମିଳନ ମଧୁରାତିର ତ
କେବେ ବିଧବାର କରୁଣ ସ୍ବର।
କେବେ ଆସେ ଫଗୁଣର ସାତରଙ୍ଗର
ଅବିର କୁ ନେଇତ କେବେ
ଖଇ କଉଡିର ଖେଳକୁ ନେଇ ।
କେବେ ରାଜପ୍ରାସାଦରେ
ଗଜଦନ୍ତ ପଲଙ୍କରେ ଶାୟିତ
ରାଜକୁମାରୀର ସ୍ବପ୍ନରେ ତ କେବେ
ଦଦରା ଚାଳକୁଡିଆରେ
ଗୋବରଘଷି ସାଉଁଟି ଜୀବନ ସଂଗ୍ରାମ
କରୁଥିବା ଗରିବ ଅଭାଗିନୀର ଭାଗ୍ୟରେ।
ଏସବୁ ନେଇ ଶବ୍ଦ ସବୁ
ଯେତେ ରୋମାଞ୍ଚିତ କରେ
ସେତେ କରେ ବ୍ୟଥିତ।
ଏଥିପାଇଁ ମୁଁ ଶୋଇପାରେନି
ଅନେକ ରାତି।
