ସମୟ ସମର୍ପଣର
ସମୟ ସମର୍ପଣର
ହେଇ ଦେଖ, ଚତୁର୍ଦ୍ଦିଗ ହେଲାଣି ଘୋର ଅନ୍ଧକାର ।
ଘନକୁହୁଡିର ଆସ୍ତରଣରେ
ସବୁ ଲାଗେ ଝାପ୍ସା ଝାପ୍ସା ।
ଅନ୍ତରେ ବାହାରେ ଶୁଣାଯାଏ
ଏକ ଅଜଣା ଆତଙ୍କର ସ୍ଵର।
ବିନା ରକ୍ତପାତେ ଗଡ଼େ ଆଜି ଶତ ଶତ ମୁଣ୍ଡ
ମଣିଷ ଆଜି ମଣିଷକୁ ସ୍ପର୍ଶ କରିବାକୁ
କରୁଛି ବାରଣ
ହୋଇଥାଉ ପଛେ ରକ୍ତର ସମ୍ପର୍କ,
ଜୀବନ୍ତ କି ମୃତ ହେଉ କରେ ଆଜି ଘୃଣା।
ଯେତେ ଚେଷ୍ଟାକଲେ
ବିଶ୍ୱରୂପୀଙ୍କ ସୂକ୍ଷ୍ମ ସତ୍ତା ସହ ଯୁଝି ଯୁଝି ଥକିଯିଵୁ ସିନା
ପାରିବୁନି କେବେ
ଉଡାଇ ତୋ ବିଜୟର ଧ୍ଵଜା।
ଭବିଷ୍ୟତ ହୋଇଯିବ ଅସମାହିତ ପ୍ରଶ୍ନର ପୃଷ୍ଠା।
ଧନ,ଜନ ଜ୍ଞାନ ତୋର ସବୁ ପଡ଼ିଯିବ ଫିକା
ଛାଡ଼ିଦେ ଛାଡ଼ିଦେ ତୋର ଗର୍ବ,ଦମ୍ଭ ଅହମିକା
ମନେ ପକା,ଵନହରିଣୀ,ଗଜକୁମ୍ଭୀର କଥା
ହୋଇଯା ତୁ ଆର୍ଯ୍ୟାଵର୍ତ୍ତର ଉତ୍ତରା।
ଜନ୍ମଦେଵୁ ଯେବେ ନୂଆ ପରୀକ୍ଷିତକୁ।
ଦ୍ରୌପଦୀ ଭଳି ଉର୍ଦ୍ଧ୍ୱ ହସ୍ତ ଟେକି ସମର୍ପିଦେ
ତନୁ ମନ ପ୍ରାଣ।
ଏଇ ତ ତୋର ଆତ୍ମଚେତନାର ସମୟ,
ଏଇ ତ ତୋର ଆତ୍ମସମୀକ୍ଷାର ସମୟ
ଏଇ ତ ତୋର ଅନ୍ତର୍ମୁଖୀ ହେବାର ସମୟ
ଆସିଛି ତୋର ସମର୍ପଣର ସମୟ।
