ବୁଢା ବରଗଛ
ବୁଢା ବରଗଛ
ପିଢି ପରେ ପିଢି କେତେ ଯେ ଦେଖିଛି
ଲଙ୍ଗଳା ଶିଶୁରୁ ବୁଢା ହେବାଯାଏଁ
ନାତି ଅଣ ନାତିଙ୍କ ଜନମ ଜାତକ ଧରି
ସେମିତି ମୁଁ ବସି ଚାହିଁ ରହିଅଛି
କେଉଁ କାଳରୁ ଗାଁ ମୁଣ୍ଡ ନଈକୂଳେ ।
କେତେ ପକ୍ଷୀମାନେ ବାନ୍ଧିଛନ୍ତି ବସା
ଖେଳିଛନ୍ତି ଡାହି ମାଙ୍କଡ ଲଙ୍ଗଳାପିଲା
ଥକା ମେଣ୍ଟିଛି ଚଲା ବାଟୋଇଙ୍କର
ଉଦୁଉଦିଆ ମୁଣ୍ଡଫଟା ଖରାବେଳେ
ଶୀତଳ ଛାଇର ମୋ ଝଙ୍କାଳିଆ ଡାଳେ ।
ଦେଖିଛି ମୁଁ ସୁଖ ଦୁଃଖ ହସ କାନ୍ଦ
ଏନ୍ତୁଡିଶାଳରୁ ମଶାଣୀଭୂମି ଯାଏଁ
ଶୁଭ ଅଶୁଭରେ ଏକ ମାତ୍ର ମୂକ ସାକ୍ଷୀ
କେତେ ଯାନିଯାତରା ମେଳା ମଉଛୁକ
ଝିଅ ବାଦା ନୂଆନୂଆ ବୋହୂ ଆସିବାର ।
ରଜପାନ ଖାଇ ଖିଲି ଖିଲି ହସି
କେତେ ଯେ କୁମାରୀ ଝୁଲନ୍ତି ଓହଳେ
ପଞ୍ଚାୟତ ସାରା ବସେ ନ୍ୟାୟ ନିଶାପ
ଘରୁ ଲୁଚି ଲୁଚି ଆସିଥିବା ଖରାବେଳେ
ଶୁଣିଛି କେତେ ଯେ ପ୍ରେମାଳପ ପ୍ରେମୀଯୁଗଳଙ୍କର ।
ଆଜି କାହିଁ ଲାଗେ ସବୁ ଶୁନଶାନ
ଶୁଭୁନି ପକ୍ଷୀଙ୍କର କଳରବ
ମିଳୁନି ଦେଖିବାକୁ ଲଙ୍ଗଳା ପିଲା ଗୋଟେ
ଥକା ମେଣ୍ଟାଇବାକୁ ବାଟୋଇ ପାଶେ
ନାହିଁ ଯେମିତି ଆଜି ସମୟ ଟିକକ ।
ନାହି ଝଙ୍କାଳିଆ ଥୁଣ୍ଟା ପରା ମୋ ଡାଳପତ୍ର
ନାହିଁ ଆଉ ସେଦିନର ପୁନେଇଁ ପୋଡପିଠା
ସମୟର ଉଜାଣି ସୁଅରେ ଭାଷିଯାଇଛି
ଭାଇଚାରା ସ୍ନେହବନ୍ଧନ ପ୍ରଥା ପରମ୍ପରାର ମହକ
ଚାହିଁ ଚାହିଁ ଝରାଏ ଆଖିରୁ ଖାଲି ଲୋତକ ।