ଏକ ହିଁ ଈଶ୍ବର
ଏକ ହିଁ ଈଶ୍ବର
ଏକ ହିଁ ଈଶ୍ବର
ସେ ସତ୍ୟ ଶିବ ସୁନ୍ଦର
ଅନାଦି ଅନନ୍ତ ଅବ୍ୟୟ ଅକ୍ଷୟ ଅବିନେଶ୍ଵର
ଶାଶ୍ଵତ ଚିରନ୍ତନ ପୂର୍ଣ୍ଣ ବ୍ରହ୍ମ ସୃଷ୍ଟିର ଆଧାର
ସେ ପରମାତ୍ମା ବ୍ରହ୍ମା ବିଷ୍ଣୁ ମହେଶ୍ୱର l
ତ୍ରିଶକ୍ତି୍ର ଏକ ସମାହାର
ଏକ ହିଁ ଈଶ୍ବର ସେ ଇଚ୍ଛାମୟ
ତାଙ୍କ ଇଚ୍ଛାରେ ଚାଲେ ସଂସାର
ସେ ସୃଷ୍ଟିକର୍ତ୍ତା ଏ ସାରା ବିଶ୍ଵ ବ୍ରହ୍ମାଣ୍ଡର l
ସର୍ବ ଶକ୍ତିମାନ ସର୍ବ ବିଦ୍ୟମାନ ସର୍ବଜ୍ଞ ଠାକୁର
ଦିଅନ୍ତି ସୁରକ୍ଷା ରଖନ୍ତି ପାଳି ପୁଣି କରନ୍ତି ସଂହାର
ଏକରୁ ହୁଅନ୍ତି ଅନେକ, ଅନେକରୁ ଏକାକାର
ବ୍ୟଷ୍ଟିର ସମଷ୍ଟି ସେ ,ଏକ ହିଁ ଈଶ୍ବର
ସେ ସ୍ଥାବର ଅସ୍ଥାବର ପ୍ରାଣୀର ପ୍ରାଣେଶ୍ଵର l
କୀଟ ପତଙ୍ଗଠାରୁ ନରନାରୀ ଜୀବଜନ୍ତୁ୍ଙ୍କର
ବୃକ୍ଷଲତା ଜଡ଼ ଚେତନର ଆଦି ସୂତ୍ରଧର
ସେ ପ୍ରକୃତି ପୁରୁଷର ନିୟନ୍ତା ଅଖଣ୍ଡ ମଣ୍ଡଳାକାର
ତାଙ୍କ ପ୍ରକାଶରେ ପ୍ରକାଶିତ ସାଗର ଅମ୍ଵର l
ସବୁଠାରେ ତାଙ୍କର ସ୍ଵାକ୍ଷର ଏକ ହିଁ ଈଶ୍ବର
ସଂସାରରେ ଜନ୍ମ ଲଭି ମଣିଷ ନିମିତ୍ତ ମାତ୍ରର
କରେ ନାହିଁ ଶାନ୍ତିଦାୟୀ ସ୍ବତନ୍ତ୍ର ବିଚାର
ଅଜ୍ଞାନତା ବଶତଃ କରେ କେବଳ ଅହଂକାର l
ଯାହାଙ୍କଠାରୁ ଆସିଛି ସେ ପାଇ ପୂର୍ଣ୍ଣ ଆକାର
ତାଙ୍କୁ ଭୁଲି ହୁଏ ସ୍ଵାର୍ଥପର ଡାକି ଆଣେ ଅନ୍ଧକାର
ଈଶ୍ଵରଙ୍କୁ କରି ଭାଗ ଭାଗ ଚଳାଏ ସ୍ଵେଚ୍ଛାଚାର
ସାମ୍ପ୍ରଦାୟିକତାରେ ନିଜର କାୟା କରେ ବିସ୍ତାର l
କାମନାର ନିଆଁରେ ଜଳି ଜଳାଏ ଭବ ସଂସାର
କରେ ହିଂସା ଦ୍ୱେଷ ଅନ୍ୟାୟ ଅତ୍ୟାଚାର
ଆତଙ୍କରେ ଆତଙ୍କିତ ହୁଏ ସଚରାଚର
ନୀରିହ ନିଷ୍ପାପ ଅସହାୟତାରେ କରେ ଚିତ୍କାର l
ଅର୍ଥ ହୁଏ ଅନର୍ଥ ଜୀବନ ହୁଏ କୁତ୍ସିତ କଦାକାର
ଚାଲେ ହିଂସ୍ର ଶତ୍ରୁତାରେ ରକ୍ତପାତର ମହାସମର
ଅଧର୍ମ ହୁଏ ପରାଜିତ ଜୟ ହୁଏ ଧର୍ମର
ସବୁ ଦେଖନ୍ତି ଈଶ୍ଵର କରନ୍ତି ନିରପେକ୍ଷ ବିଚାର l
କର୍ମ ନେଇ ମଣିଷ ଫଳ ପାଏ ତାହାର
ଅନୁଭବ କରି ରହିଥାଏ ଯିଏ ନୀରବ ନିର୍ବିକାର
ଶ୍ରମ ସାଧନାରେ ଭରସା ବିଶ୍ଵାସ କରେ ନିରନ୍ତର
ସବୁଠାରେ ଦେଖେ ସେ ଏକ ହିଁ ଈଶ୍ବର l
ପାଏ ଶାନ୍ତି ତୃପ୍ତି ଜୀବନକୁ ଗଢ଼େ ସରସ ସୁନ୍ଦର
ମହୀ ମଣ୍ଡଳରେ ମାନବ ଜନ୍ମ ତାର ହୁଏ ସାକାର
ଯୁଗେ ଯୁଗେ ଅଛନ୍ତି ସେ ଏକ ହିଁ ଈଶ୍ବର ।
