ବସୁଧା ହେଉ କୁଟୁମ୍ବ
ବସୁଧା ହେଉ କୁଟୁମ୍ବ
ଫିକା ଫିକା ଲାଗେ ବସନ୍ତର ରଙ୍ଗ
ବିରହ ବିଧୁର ପ୍ରେମ
ବହୁଛି ଶୀତଳ ମଳୟ ସମୀର
ଅସହ୍ଯ ତାପ ଗ୍ରୀଷମ ।
ଗାଉନି କୋକିଳ କଣ୍ଠ ସୁମଧୁରେ
ବେସୁରା ପଞ୍ଚମ ତାନ
ଗହଳ କନ୍ଦିରେ ହଳଦୀ ବସନ୍ତ
ଲୁଚାଉଛି ତାର ମୁହଁ ।
ଯାଉଅଛି ହଜି ବନ ସବୁଜିମା
ସ୍ନେହ ପ୍ରେମ ସୁବିଶ୍ବାସ
ଧାଉଁଛି ଜୀବନ ଅନିଶ୍ଚିତ ପଥେ
ଦେଖି ଲାଗେ ବଡ ତ୍ରାସ ।
ବରଷୁନି ଧାରା ନିର୍ଝରୁନି ସୁଧା
ଶୁଷ୍କ ସ୍ରୋତସ୍ବିନୀ ବକ୍ଷ
ହେଉ ନାହିଁ ମନ ଆନନ୍ଦ ଉଲ୍ଲାସ
ଜଞ୍ଜାଳେ ବିଚ୍ଛେଦ ଦୁଃଖ ।
ବଦଳାଏ ରଙ୍ଗ ହୃଦ ବହୁରୂପୀ
ପଣ୍ଯ ଚିରନ୍ତନ ପ୍ରେମ
ସଢୁଛି ଅତୀତ ଅନ୍ଧାରେ ଭବିଷ୍ୟ
ଦହଗଞ୍ଜ ବର୍ତ୍ତମାନ ।
ଘର ପରିବାର ସମାଜ ସଂହତି
ବିପର୍ଯ୍ଯସ୍ତ ସୁଖ ଶାନ୍ତି
ବେଳ ଥାଉଁ ଜନ ନ ହେଲେ ସଚେତ
ସୁନିଶ୍ଚିତ ଧ୍ବଂସଗତି ।
ମୈତ୍ରୀ ସୁସମ୍ପର୍କ ବନ୍ଧନ ସୁଦୃଢେ
ବସୁଧା ହେଉ କୁଟୁମ୍ବ
ଉନ୍ମେଷୁ ଜୀବନ ପ୍ରଫୁଲ୍ଲ କମଳ
ସୌଜନ୍ଯତା ସତ୍ଯ ଶିବ ।
