ବୃଦ୍ଧାଶ୍ରମରୁ ରହିଲା ନିମନ୍ତ୍ରଣ
ବୃଦ୍ଧାଶ୍ରମରୁ ରହିଲା ନିମନ୍ତ୍ରଣ
ବୃଦ୍ଧାଶ୍ରମରୁ ବାବୁରେ ଲେଖୁଛି ମୁଁ , ଚିଠି
ତୋର ମୁଖ ଦିଶେ ଆଜି ତୋ' ମା କୁ ସବୁଠି ।
କି , ଭୁଲ୍ ଥିଲା ଆମର? ଛାଡ଼ିଦେଲୁ ଏଠି,
ନଥିଲା କି ,ଜାଗା ଟିକେ ତୋ , ଘରେ କେଉଁଠି ।
ଦୁଃଖ କଷ୍ଟ ସହି ତତେ ପଢ଼ାଇଲୁ ପାଠ,
କଷ୍ଟେ ମଷ୍ଟେ ଚଳୁଥିଲୁ କାଟି ଆମ ପେଟ।
ଥିଲୁ ଆଜ୍ଞାଧୀନ ପୁଅ ଆମ ଦୁହିଁଙ୍କର,
ଗଳାରତ୍ନ ଥିଲୁ ପରା ତୁହି ସଭିଙ୍କର।
ପାଠ ପଢ଼ି ହେଲୁ ତୁହି ପରା କଲେକ୍ଟର,
ବିବାହ କରିଲୁ ଧନ ନିଜ ସ୍ଵଇଚ୍ଛାର ।
ଧୀରେ ଧୀରେ ବଦଳିଲା ତୋର ବ୍ୟବହାର,
ବୋଝ ହୋଇଗଲୁ ବୋଧେ ଆମେ ଯେ, ତୁମର।
କୌଶଳ କରିଣ ଦୁହେଁ ଛାଡ଼ିଦେଲ ଏଠି,
ସେଦିନୁରେ ବାପା ତୋର ନପାରେ ଯେ, ଉଠି।
ଜୀବନ୍ତରେ ଏ ,ଆଘାତ ସହି ପାରିଲେନି,
ହୃଦଘା'ତେ ଆଜି ସେ, ବିଛଣା ଧରିଲେଣି ।
ଧ୍ୟାନ ଦେଇ ବାବୁ ମୋର ପଢ଼ିବୁ ଏ , ଚିଠି,
ହାତ ଯୋଡ଼ି ଅନୁରୋଧ ତତେ ରହିଲାଟି ।
ଔଷଧ ଟିକିଏ ପାଈଁ ଟଙ୍କାଟିଏ ନାହିଁ,
ଏଠି ଦୁଇ ବେଳା ଖାଇବାକୁ ମିଳୁନାହିଁ ।
କି ଲାଭ ରଖି ଜୀବନ ଆମ ଦୁହିଁଙ୍କର,
କିଏ ବା' ଅଛି ଆମର ନେବ ଯେ ,ଖବର।
ପୁଅ ବୋଲି ଧନ ତତେ ଦେଉଛି ଖବର ,
ଆସିବୁରେ ବାବୁ ଶୁଣି ମରଣ ଆମର।
କଷ୍ଟ ଲାଗେ ବଞ୍ଚିବାକୁ ପ୍ରତିଟି ମୁହୂର୍ତ୍ତ ,
ମାନିଥିଲୁ ଆମେ ତୋର ପ୍ରତି ଗୋଟି ସର୍ତ୍ତ।
ଆଉ ନାହିଁ ଶକ୍ତି ଆମ ଲୁହ ବି ଆଖିରେ,
ଦୟାକରି ମଲେ ମୁଖେ ନିଆଁ ଦେବୁଟିରେ ।
ଧ୍ୟାନ ଦେଇ ତୁ , ପଢ଼ିବୁ ଲେଖିବା କାରଣ ,
ଶବ ସତ୍କାର ପାଇଁ ରହିଲା ନିମନ୍ତ୍ରଣ।