ମୋତେ ବଞ୍ଚିବା ଆସେନି
ମୋତେ ବଞ୍ଚିବା ଆସେନି
ବାଲ୍ୟଠାରୁ କିଶୋର ବୟସ
କିଶୋରଠୁ ଯୁବାପଣ ଯାଏ
ଅନେକ ଇଛାକୁ ମାରିଦେଲା ପରେ
ଅନେକ ସୁଖକୁ ଛାଡ଼ିଦେଲା ପରେ
କେବେ ପେଟର ଭୋକ ସହ ବନ୍ଧୁତା କରି
କେବେ ଛୋଟଛୋଟ ଆଶାକୁ ରକ୍ତାକ୍ତ କରି
ନିଜ ଲୁହ ନିଜେ ପୋଛି ଦେଖାଇଛି ଦାନ୍ତ
ନିଜ ପରିସ୍ଥିତି ସହ ନିଜେ ହିଁ ଅଙ୍ଗାଙ୍ଗୀ ଜଡ଼ିତ
ତାହା ହସ ନୁହେଁ ବୋଲି ଜାଣିଛି ସମୟ
ମରିବାକୁ କେବେ ଆସିନାହିଁ ଡର କି ଭୟ
କେହି ଜଣେ କହି ଦେଉଥାଏ ମୋତେ
ଜାଣେନା ମୁଁ ପ୍ରକୃତରେ କିଏ କହେ ସତେ
ମୋତେ ବଞ୍ଚିବା ଆସେନି
ମୋତେ ହସିବା ଆସେନି
ଜଣାନାହିଁ ବଞ୍ଚିବାର କଳା କୌଶଳ ଚାତୁରୀ
ମୋତେ ଜୀବନର ବାଟ ଚାଲିବା ଆସେନି..!!
ଯାନିଯାତ୍ରା ମହୋତ୍ସବ ଆଉ ତ୍ୟାଗି ବଣଭୋଜି
ସମୟର ପରାମର୍ଶେ ନିଜେ ନିଜକୁ ହୋଇ ଅରାଜି
ଦୁଃଖର ପଥେ ଛିଡ଼ାହୋଇ ସୁଖ ଖୋଜା ଚାଲେ
ସବୁ ମନେଥାଇ ବି ଜାଣିଜାଣି ସବୁ ସୁଖ ଭୁଲେ
ଜିଇଁବାକୁ ପଡିଛି ଚିନ୍ତାର ଚିତାରେ ଅନିଦ୍ରା ନିଦରେ
ତକିଆ ସାଥିରେ ମନର ପୋଥିରେ ସବୁ ଲୁହ ସାଇତାରେ
ତଥାପି ପ୍ରଶ୍ନ ଶୁଣେ କାନ ବାରବାର କାହାର ସେ କଣ୍ଠସ୍ବର
ତଥାପି କୁତ୍ସାରଟନା ଶୁଣେ କିଏ ସେ କାହିଁକି ଏ ଶବ୍ଦ ତାର
ମୋତେ ଲଢିବା ଆସେନି ଜୀବନର ଯୁଦ୍ଧ
ମୁଁ ହାରିବାରେ ସତେ କି ଦକ୍ଷ ଓ ଓସ୍ତାଦ
ଅଜଣା ମୋତେ ସମାଜର ସକରାତ୍ମକ ଦିଗ
ମୁଁ ଜାଣିପାରେନି ସତେ ନିଜର ଶକ୍ତି ଓ ବେଗ
ମୋତେ ବଞ୍ଚିବା ଆସେନି ଏ ସାର୍ଥକ ଜୀବନ
ମୋତେ ବୁଝିବା ଆସେନି ଏ ଜୀବନର ନାଟକ ପ୍ରାଣ।