ମଣିଷକୁ ମଣିଷ କରନ୍ତି ଯିଏ
ମଣିଷକୁ ମଣିଷ କରନ୍ତି ଯିଏ
ସମସ୍ତେ ବାଳୁଙ୍ଗା ବାଛି ଅଲଗା କରି ଦିଅନ୍ତି
ଉପାଡ଼ି ଦିଅନ୍ତି
ନ ହେଲେ ଓଷଦ ପକେଇ ମାରି ଦିଅନ୍ତି
ସେ କିନ୍ତୁ ପୂରା ଅଲଗା
ତାକୁ ହିଁ ଶରଧାରେ ଆଉଁସି ଦିଅନ୍ତି
ବଢିବାକୁ ଦିଅନ୍ତି
ଅପେକ୍ଷା କରନ୍ତି ମୁହୁର୍ତ୍ତ ମୁହୁର୍ତ୍ତ ଧରି
ସେଇ ଦିନ ଯାଏଁ
ଧାନ ନ ହେଲେ ବି
ସଂସାର ସାମ୍ନାରେ ଯେଉଁ ଦିନ
ସେଇ ବାଳୁଙ୍ଗାର ଦମ୍ଭ
ଆଉ କାହାର ପିଠି ଆଉଁସି ଦିଏ ॥
ବିଶୁମହାରଣା ଠୁଁ ଆହୁରି ବେଶି ବଡ଼ ସ୍ଵପ୍ନ
ପଥରର କୋଣାର୍କ ନୁହଁ
ରକ୍ତର ମାଂସର ମନର ଭାବର ମଣିଷ
ଗଢିବା କଣ ସହଜ କଥା କି
ଭାଙ୍ଗି ପଡ଼ୁଥିବା ଦେହକୁ ସମ୍ଭାଳି
ସେ ତ ଧ୍ୟାନ ମଗ୍ନ ଚିରକାଳ
କେମିତି ସଜାଡି ଦେଇହେବ
ସବୁ ଅସଜଡ଼ା କାଳ ଓ କୌଶଳ ॥
ଅନ୍ୟ ପାଇଁ ରାସ୍ତା ତିଆରୁ ତିଆରୁ
ନିଜ ପାଦ ଭୁଲିଥିବା
ଅନ୍ୟକୁ ହିମାଳୟ ଛୁଏଁଇ
ନିଜ ହାତ ଧୂଳି ପୋଛିବା ଭୁଲିଥିବା
ସେଇ ସ୍ନେହାନୁଶାସନକୁ
ଭୁଲି ପାରେ କଣ କେବେ କେହି
ଯାହା ବିନା
ଆଉ ଯାହା ହୁଏ ମଣିଷ
କିନ୍ତୁ ମଣିଷ ହେଇ ପାରେ ନାହିଁ ॥