ଚିରସ୍ରୋତା ସତ୍ୟର
ଚିରସ୍ରୋତା ସତ୍ୟର
ଚିରସ୍ରୋତା ସତ୍ୟର ସରିତା ମୁହଁରେ
ପୂର୍ବ ସଞ୍ଚିତ ଜ୍ଞାନ ଅନୁଭୂତି ସ୍ମୃତି ସବୁ
ବିରାଟକାୟ ଅଚଳ ପଥର ଖଣ୍ଡଟିଏ ପରି
ଛାତି ଫୁଲେଇ ଦମ୍ଭର ସହ ଛିଡ଼ାହୋଇ
ସ୍ରୋତଟିକୁ ଯେମିତି ପ୍ରାଣପଣେ ବାନ୍ଧିରଖିଛି...
ସେଇଠୁ ତଳକୁ ତଳକୁ
ଆଖି ନପାଇବା ଯାଏଁ ଲମ୍ବିଯାଇଛି
ଅହଂକାର ଛଳନା ଘୃଣା ଇର୍ଷାର
ବିସ୍ତୀର୍ଣ୍ଣ ତପ୍ତ ତୁଷାର୍ତ୍ତ ମରୁଭୂମିଟିଏ
ଏ ଶୁଷ୍କ ଜୀବନହୀନ ହତାଶାର ମରୁଭୂମିଟି
ତା'ର ଶୁଷ୍କତା ଜୀବନହୀନତା ହତାଶାକୁ ବି
ନିଜର କଷ୍ଟ ଉପାର୍ଜିତ ସମ୍ପତ୍ତି ବୋଲି ଧରିନେଇ
ବଡ଼ ଗୌରବାନ୍ୱିତ ତୃପ୍ତ ଅନୁଭବ କରେ ...
ସେଠାରେ ରାତି ପୁଣି କାଳେ
ଏଡ଼େ ଗାଢ଼ ବହଳ କଳା ଅନ୍ଧକାର ଯେ
ମନରେ ସଞ୍ଚିତ ରଙ୍ଗର କଳ୍ପନା ଯେତେ ସବୁ
ତତଲା ବାଲିରେ ବରଷା ବୁନ୍ଦା ପରି
ଆଖିପିଛୁଳାକେ କୁଆଡ଼େ ଶୋଷିନେଇ
ନିଜ ସହ ଏକାକାର ବା କଳା କରିଦିଏ
ବର୍ଣ୍ଣର କଳ୍ପନା ଗର୍ଭରେ ରୂପର ମଞ୍ଜି
ସେଇମିତି ଅଫୁଟା ଅଜନ୍ମା ପଡ଼ି ରହେ
କାଳର କୋଳରେ କାଳ କାଳକୁ ...
ଧିର ପାଣି ଯେବେ ପଥରକୁ କାଟିପାରେ
ତ ଅନ୍ଧକାର ଯେତେ ବହଳ ହେଲେ ବି
ଆଲୋକ ଧାରରେ କଟି ସକାଳ ନିଶ୍ଚୟ ହେବ
ଏଠି ଚିରସ୍ଥାୟୀ ବୋଲି କିଛି ନାହିଁ ପରା
ସବୁ ଅସ୍ଥାୟୀ ଅନିତ୍ୟ କ୍ଷଣଭଙ୍ଗୁର...
ପଙ୍କରେ ଯେମିତି ପଦ୍ମର ସମ୍ଭାବନା ଅଛି
ଅନ୍ଧକାର ଗର୍ଭରେ ସେଇମିତି
ଆଲୋକର ଭୃଣ ଅଲକ୍ଷ୍ୟରେ ବଢ଼ୁଥାଏ
ଧିରେ ଧିରେ ପାଣିର ଧାର ପଥର କାଟିବ
ତୁଷାର୍ତ୍ତ ଚେତନାର ଭୂମିରେ ବି ଦିନେ ନିଶ୍ଚୟ
ଜ୍ଞାନର ଚିରସ୍ରୋତା ଗଙ୍ଗା ପ୍ରବାହିତ ହେବ
ଅହଂକାରର ତପ୍ତ ଶୁଷ୍କ ମରୁଭୂମିରେ
ବିନୟର ଅଗନା ଅଗନି ବନସ୍ତ
ଆକାଶମୁହାଁ ହୋଇ ସବୁଜିମା ଖେଳାଇବ .....।