ଯେଉଁ ଦିନୁ ଆମେ
ଯେଉଁ ଦିନୁ ଆମେ
ସଭ୍ୟତା ସଂସ୍କୃତି ସଂସ୍କାର ସମୃଦ୍ଧି ଆଳରେ
ସଭ୍ୟ ସାମାଜିକ ସମତଳ ହେବା ଚେଷ୍ଟାରେ
ତଥାକଥିତ ଆଧୁନିକ ବା ପ୍ଲାଷ୍ଟିକ୍ ହେବାରେ
କାଗିଜି ସୁରକ୍ଷା ସ୍ଵୀକୃତି ସାର୍ଟିଫିକେଟ୍ ଦୌଡ଼ରେ
କେଇଟା ଟଙ୍କା ଦୁଇମୁଠା ଚାଉଳ ଲୋଭରେ
କମ୍ପାନୀ ସରକାରୀ ନେତା ବାବୁଙ୍କ ମୋହରେ ।
ସୀମା ସରହଦ ସ୍ୱାଧୀନତା ସ୍ୱାଭିମାନ ସବୁ ଭୁଲି
ରକ୍ଷକ ବେଶରେ ନରଭକ୍ଷକ ଦଲାଲଙ୍କ ଆଗେ
ମୁଣ୍ଡ ନୁଆଇଁ କର ଯୋଡ଼ି ସାଲିସ୍ କରିନେଲେ
ଦମନର ଗୋଲାମୀର ଭଡ଼ାଟିଆ କୁଜି ରାକ୍ଷସଙ୍କ
ରୋଲର୍ ତଳେ ନିଜର ଜଙ୍ଗଲି ସ୍ୱପ୍ନ ସବୁକୁ
ନିଃସହାୟ ନୀରବ ଦ୍ରଷ୍ଟା ଭାବେ
ଚୂର୍ଣ୍ଣ ହୋଇ ମାଟିରେ ମିଶିଯିବାକୁ ଛାଡ଼ି ଦେଲେ
ସେହି ଦିନୁ ଆମେ ଏକ କୋଷୀ ଏମିବା ଭଳି
ଏକରୁ ଦୁଇ ଖଣ୍ଡ ଦୁଇ ଦେହ ହୋଇ
ଦୁଇ ଭିନ୍ନ ଭିନ୍ନ ଦିଗେ ଛିଟିକି ପଡ଼ିଲେ ।
ସେହି ଦୁଇ ଦେହ ମଧ୍ୟଦେଇ ଫିଟିଗଲା
ଆମରି ରକ୍ତର ମିଛ ବଳିଦାନ ସୂଚକ
ଦୟା ନଦୀର ପରାଜୟର ଲାଲ୍ ଚିରସ୍ରୋତଟିଏ !
ମୁହଁ ଲୁଚେଇ ତରତର ହୋଇ ବହି ଯାଉଥିବା
ସେ ସରୁ ସୁପ୍ତ ଲାଲ୍ ନଦୀଟି ଏବେ କାହିଁ କେଜାଣି
ଧିରେ ଧିରେ ଅଧିକରୁ ଅଧିକ ଫୁଲି ଫୁଲି ଚାଲିଛି
ଦୁଇ ପଟର ସେ ଅତୁଟା ବିଶ୍ୱାସର କୂଳରୁ
ଅତଡ଼ାଏ ଅତଡ଼ାଏ କରି ଆମ ସଞ୍ଚିତ ସମ୍ବଳରୁ
ଆତଙ୍କର ଆଖି ଦେଖାଇ ବେଲଗାମ୍ ଲୁଟାଚାଲିଛି।
କୂଳଖାଇ ସବାଖାଇ ନଈଟି
ଯେତେ ଯେତେ ବାହା ମେଲାଉଛି
ସେତେ ସେତେ ଆମ ମଧ୍ୟେ
ଦୂରତା ବି ବ୍ଯାପି ବ୍ୟାପି ଚାଲିଛି
ସତେ ଯେମିତି କେଉଁଠି ବି ସେ
କୂଳ
ଟିଏ ରହିବାକୁ ଦେବନି
କି ମାଟି ମୁଠାଏ ବି ଛାଡ଼ିବନି ।
ଏଇମିତି ପିଢ଼ି ତର ପିଢ଼ି ଯାଏଁ
ଆମ ଅଫୁଟା ଅଦେଖା ଭବିଷ୍ୟତକୁ
ପଙ୍ଗୁ ନିଶାଡ଼ି ମାତାଲ୍ କରି
ଭଲମନ୍ଦ ସୁଖଦୁଃଖ ହାନିଲାଭର
ସେ ଅତି ଆପଣାର କ୍ଷୁଦ୍ର ଦୁନିଆଟିର
ରତ୍ନ ପାହାଡ଼ ସବୁକୁ ଭାଙ୍ଗି ଚୁରମାର୍ କରି
ପାହାଡ଼ ଠୁଁ ଉଚ୍ଚ ମହଲ ଦପ୍ତର ଜେଲ୍ ତୋଳି
ଝରଣା ନଦୀ ସମୁଦ୍ରର ଅମୃତ ପରି ପାଣିକୁ
ବିଷାକ୍ତ ନର୍ଦ୍ଦମା ପାଣିରେ ପରିଣତ କରି
ପ୍ରକୃତିର ଫୁସଫୁସକୁ ପୁଣି କାଟି ପଦା କରି
ସେଥିରେ ନିଜ ବିନାଶର ବିଷ ଚାଷ ଚଷି
ଜୀବନକୁ ନିଷ୍କ୍ରିୟ ଆହ୍ବାନହୀନ ସପାଟ କରିବାର
ଏକ ସୁଚିନ୍ତିତ ଗୁପ୍ତ ଷଡ଼ଯନ୍ତ୍ର ଯେପରି ଚାଲିଛି ।
ଦରମା ଗଣ୍ଡାଏର ଭୋକ ଶୋଷ ଲୋଭ ପାଇଁ
ଅଣନିଃଶ୍ବାସୀ ଚାକର ବୃତ୍ତିରୁ ମୁକୁଳିବା ଅସମ୍ଭବ
ବରଂ ବଡ଼ ପଦବୀ କ୍ଷମତା ଅର୍ଥ ଲାଳସାର
ଅଫିଟା ଫାଶରେ ଆହୁରି ନିଜକୁ ଛନ୍ଦି ଚାଲିଛେ
ଏଇଭଳି ସରକାରୀ କମ୍ପାନୀ ନିଆଁର ନଈ ମଝିରେ
ଘର ତୋଳି ସମାଜ ସହ ଅପଡ଼ କରି
ନପୋଡ଼ି କେହି କ'ଣ କେବେ ବର୍ତ୍ତିଲାଣି
ନାଁ ତା' ଘଣାରେ ନପେଡ଼ି ହୋଇ କିଏ ବଞ୍ଚିଲାଣି ?
ପାଦେ ପାଦେ ସବୁଠି ତା'ର କଡ଼ା ଲାଲ୍ ନଜର
ଯେମିତି ହେଉ କଞ୍ଚା ଦେହରୁ ଅନ୍ତର ଆତ୍ମାକୁ
ଅଫୁଟା ଫୁଲରୁ ତା'ର ନିଦ୍ରିତ ଗୁପ୍ତ ମହକକୁ
ପାରୁ ଯାଏଁ ଦୂରେଇ ରଖିଲେ ଯାଇ
ଅମଣା ଯେତେଙ୍କୁ ମଣ କରିହେବ
ସିଂହାସନର ଗୋଡ଼ ଦୁର୍ବଳ ହେବାର
କି ସେଥିରେ ଉଇ ଚରିବାର ଆଉ ଭୟ ନଥିବ ।