STORYMIRROR

Prashantam Bapu

Abstract Others

4  

Prashantam Bapu

Abstract Others

ଘୂରିଚାଲିଛି

ଘୂରିଚାଲିଛି

2 mins
289


ସତରେ ସେ କ'ଣ ସଭିଙ୍କ ମାଆ 

ନାଁ ସେ କେଉଁ କଳ୍ପିତ ଦେବୀ ନାଁ ଦାନବୀ ?

ଯେଉଁମାନେ ତା'ର ଏ ଏକପାଖିଆ ଉଦାର ରୂପ ଦେଖି 

ତାକୁ ଶ୍ରଦ୍ଧା ସମ୍ମାନରେ ମାଆ ବୋଲି ଡାକନ୍ତି 

ସେଇମାନେ ପୁଣି ତା'ର ଉଗ୍ର ତାଣ୍ଡବ ରୂପ ଦେଖି

ଭୟଭୀତ ଆତଙ୍କିତ ହୋଇ ତ୍ରାହି ତ୍ରାହି ଡାକନ୍ତି 


ସେ କାହାର ନୁହେଁ ପୁଣି ସକଳ ପ୍ରାଣୀଙ୍କର 

ସେ ହିଁ ସଭିଙ୍କ ଏକ ମାତ୍ର ଆଶା ଆଶ୍ରା ଆଶ୍ରୟ 

ସେ ନିଜର କିମ୍ବା କାହା ନିୟମର ଶୃଙ୍ଖଳାରେ ବନ୍ଧା 

କିବା କାହାର ନିର୍ଦ୍ଦେଶିତ ଧର୍ମରେ ପୂର୍ଣ୍ଣ ସମର୍ପିତ 

ନାଁ ସେ ସମ୍ପୂର୍ଣ୍ଣ ନାଁ ତାକୁ ଅପୂର୍ଣ୍ଣ ବୋଲି କହିହେବ 

 

କାହିଁ କେଉଁ ଅନାଦି ଅନନ୍ତ କାଳରୁ ସେ ଯେମିତି

କେଉଁ ଅଜଣା ଗୁପ୍ତ ଉଦ୍ଦେଶ୍ୟରେ ଅହରହ ଚେଇଁରହି 

ଏକ ଧ୍ୟାନରେ ଏକ ଲୟରେ ବଡ଼ ସଜାଗତାର ସହ

କେତେ କେତେଙ୍କ ଦେଇ ଧର୍ଷିତ ପୀଡ଼ିତ ଦୂଷିତ 

ଜୀବଚକ୍ରକୁ ସାଥିରେ ଧରି ଅବିରାମ ଘୂରିଚାଲିଛି  


ଏ ଯୁଗର ନିର୍ଦ୍ଦୟୀ ଜ୍ଞାନୀ ବିଜ୍ଞାନୀ ନେତାଗଣ 

ତା'ର ରହସ୍ୟକୁ ନବୁଝି ନଜାଣି ବା ଜାଣିଶୁଣି 

କିମ୍ବା ବୁଝିବା ଜାଣିବା ଭଳି ବେପାରୀ ଛଳନା କରି

ଭକ୍ଷକ ସାଜି ତାକୁ ନିଜ ହାତ ମୁଠାରେ ରଖିବାକୁ ଚେଷ୍ଟିତ

ତା' ଜୈବିକ ଚକ୍ରର ଅଖକୁ ଗୋଟି ଗୋଟି ଅପଙ୍ଗ କରି 

ତା'ର ସ୍ୱାଭାବିକ ଗତିକୁ ପ୍ରତିରୋଧ ଅବରୋଧ କରି

ରାକ୍ଷସ ତୁଲ୍ୟ ତା'ର ବିନାଶକାରୀ ବିଜ୍ଞାନ ବଳ ଲଗାଇ

ତା' ଛାତି ଚିରି ହୃଦୟଗର୍ଭରେ ସଞ୍ଚିତ ସମ୍ୱଳ ସବୁକୁ

ବେଧଡ଼କ୍ ବେଲଗାମ୍ ଦିନରାତି ଲୁଣ୍ଠନ କରି ଚାଲିଛି 


ବିକାଶ ସମୃଦ୍ଧି ନାଁରେ ତା'ର ଫୁସଫୁସକୁ କାଟି 

କେତେ ଯେ ନିରୀହଙ୍କୁ ବେଘର ବିଲୁପ୍ତ କରି 

ନିଜ ବିନାଶର ଉନ୍ମୁକ୍ତ ପ୍ରଶସ୍ଥ ରାସ୍ତା ସହର ସେ ଗଢ଼ୁଛି


ସେ ଜାଣେ କି ନିଜକୁ ଶ୍ରେଷ୍ଠ ବୋଲାଉଥିବା 

ଏ ନିର୍ବୋଧ ମଣିଷ ସବୁ ଯେତେ ଯୋର୍ ଲଗେଇଲେ ବି 

ତାହାରି ଦେଇ ଅଙ୍କା ଯାଇଥିବା

ଅଦୃଶ୍ୟ ଅଭେଦ୍ୟ ଲକ୍ଷ୍ମଣ ରେଖା ଭିତରେ ହିଁ 

ସଦାସର୍ବଦା ସବୁ ସୀମିତ ରହିବେ

 

ସୀତାର କଳ୍ପିତ ମାଆ ହେଲେ ବି ସେ ଝିଅ ପରି ନୁହେଁ 

ଯେ କି ଏବେର ମିଛ ମାୟା ମୃଗର ମତିଭ୍ରମରେ ମାତି 

ମଣିଷ ବେଶରେ ଥିବା ଅସୁରକୁ ନଚିହ୍ନି ପାରି

ତା'ର ହିଂସ୍ର କ୍ରୁର ପଞ୍ଝାରୁ ନିଜକୁ  

ଅସହାୟା ଅବଳା ଦୁର୍ବଳା ଭାବେ ବନ୍ଦିନୀ କରିବ 

ବିଧ୍ୱସ୍ତକାରୀଙ୍କ ଦମନ ଅଗ୍ନିରେ ପ୍ରବେଶ କରି 

ତାଙ୍କ ଅହଂର ମନୋରଞ୍ଜନ ପାଇଁ 

ନିଜକୁ ତିଳ ତିଳ କରି ଜାଳି ପୋଡ଼ି 

ନିରର୍ଥକ ସତୀତ୍ୱ ନାମରେ ବୃଥା ପରୀକ୍ଷା ଦେବ 

 

କାଳ ବାସୁକି ନାଗ କଡ଼ ଲେଉଟାଉ କି ନ ଲେଉଟାଉ

ସେ ଜାଣେ କି ତା'ର ଏ ଅନନ୍ତ ଅବିଶ୍ରାନ୍ତ ଯାତ୍ରାରେ 

ସେ କାଲି ଥିଲା ଏବେ ଅଛି ଆଉ କାଲି ବି ରହିବ 

ତାକୁ ମାରିବାକୁ ଚେଷ୍ଟିତ ଅତୀତରେ କେତେ ଯେ ହାତ  

ତା' ଦେହରୁ ଜନ୍ମି ତାହାରି ଦେହରେ ମରିହଜି ଗଲେଣି 

ଆଦିଅନ୍ତ ନଥିବା ସେ ବିଚିତ୍ର ବିରାଟ ଓଲଟ ବୃକ୍ଷରେ  

କେବେ ଯଦି ସାମାନ୍ୟ ଗୋଟିଏ କଅଁଳ ସବୁଜ ପତ୍ର 

ଆସୁରିକ ଶକ୍ତିରେ ପ୍ରଭାବିତ ହୋଇ ଝାଉଁଳି ପଡ଼ିଲା 

ଏଥିପାଇଁ କ'ଣ ପୂରା ଓଲଟ ବୃକ୍ଷଟି ଓଲଟି ପଡ଼ିବ ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract