STORYMIRROR

Prashantam Bapu

Inspirational Others

4  

Prashantam Bapu

Inspirational Others

ବେଳେବେଳେ

ବେଳେବେଳେ

1 min
399

 


ବେଳେବେଳେ ଯେଉଁଠି ସେ ଥାଏ 

ସେଇଠି ମୁହୁର୍ତ୍ତଟିଏ ବି ରହିପାରେନି

ଏତେ ବଡ଼ ପୃଥିବୀଟା ଅଚାନକ୍ 

ସଙ୍କୁଚିତ ହୋଇ ଖୁବ୍ ଛୋଟ ଦିଶେ !

ନିଃଶ୍ୱାସ ଯିବାକୁ ବାଟ ପାଏନି ଖୋଜି

ନିରାଶ୍ରୟ କ୍ଳାନ୍ତ ମଣିଷକୁ ମୁଣ୍ଡ ଗୁଞ୍ଜିବାକୁ

କେଉଁଠି ବି ହାତେଟେ ଜାଗା ଜୁଟେନି

ସବୁଠି ସେ ଅଖଞ୍ଜା ଅଲୋଡ଼ା ପାଲଟେ 

ନିଃସଙ୍ଗତା ଛଡ଼ା ସମ୍ପର୍କ ଯେତେ ସବୁ

ଆଖି ପିଛୁଳାକେ ଅପହଞ୍ଚ ହୁଏ ..!

  

ତଥାପି ଏ ତାସ୍ ପତାର ଘରକୁ 

ସୁରକ୍ଷା ଦେବାକୁ ବିନିଦ୍ର ରହି ସେ ପହରା ଦିଏ

କ୍ଷୀଣ ହେଲେ ବି ଲୋଭ ଅଛି ତା'ର 

ପୁଣି ଆଶା ଟିକିଏ କେଉଁ କୋଣରେ 

ଦୁକୁଦୁକୁ ହେଇ ଲିଭିବ ଲିଭିବ ହୋଇ ଜଳୁଛି 

କି ନିଶ୍ଚୟ ଦିନେ ସବୁ ଠିକ୍ ହୋଇଯିବ

ଭୋକିଲା ବିବେକ କାଳେ କେବେ 

ଅଧ ରାତିରେ ଚେଇଁ ଉଠି ରାହା ଧରି କାନ୍ଦିବ

ଝଡି଼ ପଡ଼ିଥିବା ମାତୃତ୍ଵର ଶୁଖିଲା ଥନରୁ 

ଶେଷ ବୁନ୍ଦାର ଜୀବନକୁ ପ୍ରାଣପଣେ ଶୋଷି 

ନିଜ ଭିତରେ ମରୁଥିବା ମଣିଷ ପଣିଆକୁ 

ମଲା ମୁହଁରୁ ଉଦ୍ଧାରି ଆଣିବ... 


ସେ ଦିନକୁ ଦେଖିବାକୁ ସେ ହୁଏତ ନଥିବ

ବରଂ ତୋ ବାଟଘର କାନ୍ଥରେ ଝୁଲୁଥିବ

ତା'ର ଝାଉଁଳା ମଳିଛିଆ ମୁହଁର

ଶସ୍ତା ବନ୍ଧେଇ ଫଟୋଟିଏ

ଖର୍ଚ୍ଚ କାଟ ପାଇଁ ସତସତିକା 

ସତେଜ ଫୁଲ ହାରଟିଏ ବଦଳେ 

ପ୍ଲାଷ୍ଟିକ ଫୁଲର ମାଳଟିଏ ପିନ୍ଧି 

ତା'ର ଛୋଟ ଛୋଟ ଆଖିର ଦୁଆର ଦେଇ 

ଚିରାଚରିତ ଢଙ୍ଗରେ ଗଡୁଥିବ

ପର ପିଢ଼ିର ସଂସାର ତାକୁ ଭୂକ୍ଷେପ କରି


ଯେଉଁ ପ୍ଲାଷ୍ଟିକ୍ ଫୁଲକୁ ସେ 

ବଞ୍ଚିଥିବା ଯାଏ ଘୃଣା କରୁଥିଲା 

ସେହି ଚିର ସତେଜ ପ୍ଲାଷ୍ଟିକ୍ ଫୁଲର 

ଜଳନ୍ତା ଫ୍ଲୋରେସେଣ୍ଟ୍ ରଙ୍ଗ 

ମଣିଷର ନିର୍ବୋଧତା ଆଉ ନଶ୍ୱରତାକୁ 

ଉପହାସ କଲା ପରି ଚାହିଁଥିବ ।



Rate this content
Log in

Similar oriya poem from Inspirational