ମୁଁ ତୋତେ ଖାଇ ବଞ୍ଚେ....
ମୁଁ ତୋତେ ଖାଇ ବଞ୍ଚେ....
ମୁଁ ତୋତେ ଖାଇ ବଞ୍ଚେ ଆଉ ତୁ ମୋତେ
ସାପଟିଏ ଲାଞ୍ଜ ପଟୁ ନିଜକୁ ଗିଳିଲା ଭଳି
ଆମେ ପରସ୍ପରକୁ ଗିଳୁଥାଆନ୍ତି ଅହରହ
ତୋରି ମଞ୍ଜିରୁ ତୋରି ଗର୍ଭରୁ ଜନମ ନେଇ
ତୋତେ ଖାଇ ଖାଇ
ଚେର ସବୁ ମୋର ଏବେ ତୋ ପାତାଳ ଭେଦିବାକୁ
ଡାହା ସବୁ ତୋ ଆକାଶ ଛୁଇଁବାକୁ ଆଗଭର
ଶେଷକୁ ପୁଅଝିଅ ନାତିନାତୁଣୀ ତୋତେ ସମର୍ପି ଦେଇ
ଶୁଖିଲା ଦଦରା ଉଇଖିଆ ବୁଢ଼ା ଦେହଟିକୁ
ଖତ ହେବାକୁ ଛାଡ଼ିଯିବି
ଯାହାକୁ ଖାଇ ଆମ ଭବିଷ୍ୟତର ବଂଶଧର
ହୃଷ୍ଟପୁଷ୍ଟ ସବଳ ସଫଳ ହେବେ
ସଭିଏଁ ତ ସେହି ଏକା ଖିଅରେ ବନ୍ଧା
ମୋ ସ୍ଵପ୍ନ , ଲକ୍ଷ୍ୟ କିଛି ବି ମୋର ନୁହେଁ
ସବୁ କିଛି ତୋରି ଛନ୍ଦ ତୋରି ମାୟା
ଏମିତି କି ତୋ ଠୁଁ ମୁକ୍ତିର କଳ୍ପନା ବି
ମୁଁ ଆଉ ମୋର ବୋଲି କିଛି ନାହିଁ
ଏତିକି କଥା ଯେବେ ହେଜିବି
ସେବେ ମୋ ଏ କ୍ଷୁଦ୍ର ସଙ୍କୀର୍ଣ୍ଣ ପୃଥିବୀଟି
ଘୂରିବା ହୁଏତ ବନ୍ଦ୍ କରିଦେବ ...
ଦଶଦିଗରେ ମାଡ଼ିଥିବା ଚେର କାଣ୍ଡ ଡାଳ
ମୋ ଘରଦ୍ୱାର ସମ୍ପତ୍ତି ବାଡ଼ି ବ୍ଯାଙ୍କବାଲାନ୍ସ୍
ସୂର୍ଯ୍ୟ ଗ୍ରହ ନକ୍ଷତ୍ର ଯେତେ ସବୁ
ପୁଣି ମିଳେଇ ଯିବେ ତୋରି ଦେହରେ
ଶେଷରେ ମୁଁ ନଥିବି କି ତୁ ନଥିବୁ
କାରଣ ତୋ ଥିବାର ଅନୁଭବ
ମୁଁ ନଥିଲେ କିଏ ବା କରିବ ?
ଏତିକି ଜାଣିବା ପାଇଁ କ'ଣ ଏ ଜୀବନ ଯୁଦ୍ଧ ?
ନାଁ ! ଜୀବନର କିଛି ଅନ୍ତିମ ଲକ୍ଷ୍ଯ ନଥାଇ ପାରେ
ଖାଲି ଗୋଲ୍ ଗୋଲ୍ ଚକର କାଟିବା ଛଡ଼ା
ଏଥିରୁ ଛୁଟିପାଇବା ଛିଟିକି ପଡ଼ିବା ବା ଅଲଗା ହେବା
ମୋକ୍ଷ ନାଁ କକ୍ଷଚ୍ଯୁତ ହେବା
ଏଇଟା ନିଜସ୍ଵ ଅନୁଭବରୁ କିଏ ବା କହିପାରିବ ?