ଚିନ୍ତା ନାହିଁ
ଚିନ୍ତା ନାହିଁ


ମୋ ସଙ୍କୀର୍ଣ୍ଣ ସଂସାରଟି ସୁଖରେ ଥିବା ଯାଏଁ
ଦୁନିଆଟା ଭାସିଗଲେ ବି ଚିନ୍ତା ନାହିଁ
ପଡ଼ୋଶୀ ଘରେ ନିଆଁ ଲାଗିଛି ତ ଜଳୁଥାଉ
ମୋ ଘରକୁ ନିଆଁ ନଡେଇଁବା ଯାଏ ଚିନ୍ତା ନାହିଁ
ସତ କହି କାହା ସହ ଅପ୍ରିୟ ହେବା କାହିଁ
କିଏ ଜାଣେ କାଲି କେବେ କାମ ପଡ଼ିଯିବ
ତ ବର୍ଷା ଜୁଆଡ଼େ ଛତା ସେଇଆଡ଼େ କରିଦେଲେ
ଆଗକୁ ସ୍ୱାର୍ଥହାନୀ ହେବାର ବିଶେଷ ଆଶଙ୍କା ନାହିଁ
ନିଃସ୍ୱାର୍ଥପରତାକୁ ନେଇ ଦୀର୍ଘ ଭାଷଣ ମୁଁ ଝାଡ଼ି ପାରେ
ଅକାଟ୍ଯ ଯୁକ୍ତି ବାଢ଼ି ପ୍ରମାଣିତ କରିପାରେ ଅଚୀରେ
କି ମୋ ଠାରୁ ବଡ଼ ନିଃସ୍ୱାର୍ଥପର ଆଉ କେହି ନାହିଁ
ଛାତି ବାଡ଼େଇ ଅନ୍ୟର ଆଖିରେ ଆଙ୍ଗୁଳି ଗେଞ୍ଜି
ଡାହା ମିଛକୁ ରଙ୍ଗେଇ ବଙ୍କେଇ ସତ କରିପାରେ
ଲୁଚିଛପି ସମୟ ଅନୁଯାୟୀ ମୁଖା ବଦଳାଇ
ଫନ୍ଦିଫିକର କୌଶଳ କରି ପାହଚ ପାହଚ ଡେଇଁ
ନିଜ କାମ ହାସଲ କରିବାଟା ଗୋଟିଏ କଳା
ଆଉ ମୋ ଠାରୁ ବଡ଼ କଳାକାର କେହି ନାହିଁ
ଉଦ୍ଦେଶ୍ୟ ହେଲା ପୁରା ପୃଥିବୀଟିକୁ ଏକା ଗିଳିବି
ମୋ ପୁଅ ନାତି ଅଣନାତି ପଣନାତି କରି
ଏ ଧରାଟିରେ ଥିବା ଯାଏଁ ସଭିଙ୍କୁ ଅପ୍ରତିଦ୍ୱନ୍ଦୀ କରି ଯିବି
ମୁଁ ଯାହା କହିବି କରିବି ତାହା ହିଁ ଆଇନ୍ ଆଉ ଧର୍ମ
ମୋ ବିରୁଦ୍ଧରେ ଯିବା ଅର୍ଥ ବେଆଇନ୍ ବା ଅଧର୍ମ
ମୋ ଯୁଦ୍ଧ ହିଁ ନିଶ୍ଚିତ ନ୍ୟାୟ ଆଉ ଧର୍ମ ସପକ୍ଷର
ମୋ ବିଜୟ ହିଁ ବିଜୟ ନ୍ୟାୟ ଆଉ ଧର୍ମର
ଯେତେ ବା ଅନୀତି ଅନ୍ୟାୟ ଅଧର୍ମ ବଳରେ ହେଲେ ହେଉ
ମୋ ବିଜୟ ଯେମିତି ହେଲେ ବି ସୁନିଶ୍ଚିତ ରହୁ
ଏ ସମାଜରେ ରାମ ହୋଇ ଯଦି ଯୁଦ୍ଧରେ ହାରିଗଲି
ତ ଆଗକୁ ନିଶ୍ଚିତ ରୂପେ ରାବଣ ବୋଲାଇବି
ଆଉ ରାବଣ ହୋଇ ବି ଯଦି ଯୁଦ୍ଧ ଜିତୁଛି
ତ ନିଜେ ହିଁ ପ୍ରକୃତ ରାମ ବୋଲି ଲେଖିଦେବି
ଏଠି ବିଜୟୀ ମାନେ ହିଁ ତ ଇତିହାସ ରଚନ୍ତି
ବାବୁ ଅଫିସର ନେତାମନ୍ତ୍ରୀଙ୍କ ଭୋକ ତ ଅପାର
ଭୋକିଲା ଶୋଷିଲା ଲଙ୍ଗଳାଙ୍କ କଥା କିଏ ପଚାରେ
କ୍ଷମତା ଅର୍ଥ ଆଉ ଦେହର ତୃଷ୍ଣା ଆଗରେ ସବୁ ଭିକାରୀ କ୍ଷମତା ଆଗରେ ତ ସବୁ ଆପେ ଆପେ ନଇଁଯାଏ
ଏହାରି ଫାଶରେ ଛନ୍ଦି ସଭିଙ୍କୁ ଅଚୀରେ ବଶ କରିହେବ
କେବଳ କିଛିଟା ସ୍ୱାଧୀନ ଚେତା ସ୍ୱପ୍ନବିଳାସୀ
ଚୋପାଛଡ଼ା ପାଗଳଙ୍କୁ ଛାଡ଼ିଦେଲେ
କୌଣସି ମତେ ଏ କିଛିଟାଙ୍କ ମୁହଁ ବନ୍ଦ କରିଦେଲେ
ବିଦ୍ରୋହ କ୍ରାନ୍ତିର ସ୍ରୋତ ସବୁ ଆପେ ଆପେ ଶୁଖିଯିବ
ଲୋଭୀଙ୍କୁ ଲୋଭ ଦେଖାଇ ଯୁଦ୍ଧଖୋରଙ୍କୁ ଯୁଦ୍ଧ ଦେଇ
ଯୁବପିଢି଼କୁ ନିଶାସକ୍ତ କରି ତାଙ୍କ ଶକ୍ତିକୁ ନିୟନ୍ତ୍ରଣରେ ନେଇ
ଅସହାୟ ଜନତାଙ୍କୁ ମାଗଣା ଚାଉଳ ଗହମ ଖୁଆଇ
ଆଳୁ ପିଆଜ ଟମାଟୋ ମହଙ୍ଗାର ମାଡ଼ ଦେଇ
ଗୋଷ୍ଠୀ ଜାତି ଧର୍ମ ଦେଶ ନାମରେ ମଝିରେ ମଝିରେ
ବିଭେଦ ସୃଷ୍ଟି କରି ହିଂସା ଆଉ ଘୃଣାର ନିଆଁ ଲଗାଇ
ଶାସନକୁ ନିଜ ପାଇଁ ଦୀର୍ଘସ୍ଥାୟୀ କରିହେବ
ଏହି ସବୁ ତ ପରୀକ୍ଷିତ ପ୍ରମାଣିତ ସୁବର୍ଣ୍ଣ ସୂତ୍ର ସବୁ ...