STORYMIRROR

Prashantam Bapu

Fantasy Inspirational

4  

Prashantam Bapu

Fantasy Inspirational

ସେ ଏକ ଏମିତି ଗଛ

ସେ ଏକ ଏମିତି ଗଛ

2 mins
396

ସେ ଏକ ଏମିତି ଗଛ 

ଚାହିଁଲେ ଅମୃତର ଫଳ ଫଳାଇ ପାରେ

ଚାହିଁଲେ ବିଷ ଫଳ ବି 

ଯେଉଁ ମଞ୍ଜିରୁ ସେ ଜନ୍ମିଛି 

ସେ ଥିଲା କାଳେ ଦିନେ ଶୁଦ୍ଧ ଅମୃତର 

ସେଇମିତି ସବୁ ଗଛର ମଞ୍ଜି ବି 

ଥିଲା ଦିନେ ଶୁଦ୍ଧ ଅମୃତର ।


ଏ ଜାତୀୟ ଗଛର ଜଙ୍ଗଲରେ 

ତା' ଚାରିପାଖରେ  

ପ୍ରିୟ ଅପ୍ରିୟ ବନ୍ଧୁ ଶତ୍ରୁ 

ଜଣା ଅଜଣା କେତେ ଯେ ଗଛ

ସଭିଏଁ ଏକା ଝୁଙ୍କରେ ମାତିଛନ୍ତି 

ଯେମିତି ହେଉ ବଢ଼ିବେ ଉର୍ଦ୍ଧ୍ବକୁ ଉର୍ଦ୍ଧ୍ବକୁ ।


ମାଟି ଭିତରର ଯେତେ ଯେତେ

ପାଣି ଖଣି ତେଲ ଗ୍ୟାସ  

ମୁଣ୍ଡ ଉପରର ସବୁ ସୂର୍ଯ୍ୟ କିରଣ 

ବହୁଥିବା ପବନକୁ ବି ହଡ଼ପ କରି

ସବୁଠୁ ଦୀର୍ଘକାୟ ହେବେ 

ସର୍ବ ଶକ୍ତିମାନ ସୁପରମ୍ୟାନ୍ ହେବେ

ଶାସକ ବିତ୍ତଶାଳୀ ହେବେ 

ପୁରା ଜଙ୍ଗଲର ପୁରା ପୃଥିବୀର 

ସେ ହିଁ ଏକା ଏକଛତ୍ର ଶାସନ କରିବେ ।


ତା'ର ବି ଆପ୍ରାଣ ଚେଷ୍ଟା 

ମୁଣ୍ଡ ଟେକି ସଳଖ ହୋଇ ବଢ଼ିବାକୁ 

ସବୁ ଦିଗକୁ ଚେର ଲମ୍ବାଇ ଦେଇ

ଯେତେ ପାର ସେତେ ଶକ୍ତି ସଞ୍ଚିବାକୁ

ଯେତେ ସମ୍ଭବ ସେତେ ସମ୍ୱଳ ଶୋଷିବାକୁ ।

 

ଏହି ବଢ଼ିବାର ବ୍ୟାପିବାର ଦୌଡ଼ରେ

ତଣ୍ଟିକଟା ପ୍ରତିଯୋଗିତାରେ...

ପଡ଼ୋଶୀର ପ୍ରତିଦ୍ବନ୍ଦିର ଶତ୍ରୁର 

ସୁଖ ସମୃଦ୍ଧି ନଦେଖି ପାରି

ଇର୍ଷା ଘୃଣା ପ୍ରତିହିଂସାରେ ଜଳିଜଳି 

ଜଣା ନାହିଁ କେବେଠାରୁ ସେ ଯେ 

ନିଜକୁ ଦେଖିବା ଭୁଲି ଯାଇଥିଲା ।


ଦିନେ ଅଚାନକ ତା' ଚାରିପାଖେ ଜମିଥିବା 

ନିଜ ଲହୁଲୁହର ସ୍ଥିର ପାଣିରେ

ନିଜର ପ୍ରତିବିମ୍ବ ଦେଖି ଚମକି ପଡ଼ିଲା

କେଡ଼େ କଦାକାର ସେ ନ ଦିଶୁଛି ସତେ ! 

ଛିଃ ଛିଃ ଛିଃ !

କେଡ଼େ ଦୁର୍ଗନ୍ଧ ଆସୁଛି ତା' ଦେହରୁ !

ଦେହ ଯାକ ସାଁବାଳ ସାଲୁବାଲୁ 

ପତ୍ର ସବୁରେ ପୋକ ହଳହଳ 

ଦେହରେ ହଜାରେ କେନା ହଜାରେ ବାଙ୍କ 

ଆଉ ଏ କ'ଣ ?

ଗଛ ସାରା ଲକ୍ଷ ଲକ୍ଷ ବେଲ ଭଳି 

ବିଷ ଫଳର ଭାରରେ ସେ ଭାରାକ୍ରାନ୍ତ !

ଖାଲି ସେ ନୁହେଁ ତା' ଚାରିପାଖେ

ଛୋଟ ବଡ଼ ସବୁ ଗଛର ଅବସ୍ଥା ବି ସେଇଆ ।


ଏତିକି ଦେଖିବା କ୍ଷଣି 

ସିହରି ଉଠିଲା ତା' ହୃଦୟ

ଦୋହଲି ଗଲା ମନ 

ଏହା ସହ ଦେହ ବି

ତ ଝଡ଼ି ପଡ଼ିଲା ମେଞ୍ଚାଏ ଦରକଞ୍ଚା ଫଳ ।


ଝାଡ଼ିଝୁଡ଼ି ଦେରେ ସବୁ

ଦୂରରୁ କାହାର ଅସ୍ପଷ୍ଟ ଡାକରା ଯେମିତି 

କାନରେ ରହିରହି ଗୁଞ୍ଜିବାକୁ ଲାଗିଥାଏ ।

 

କାହିଁ କେତେ ଯୁଗ ଯୁଗରୁ ସଞ୍ଚିତ 

ଏ ଅଗଣିତ ଫଳ ସବୁ ଝଡ଼ିବାକୁ 

ଜଣା ନାହିଁ କେତେ କାଳ ଯେ ଲାଗିଯିବ 

ଲାଗୁ

କିନ୍ତୁ ଆଉ ବିଷ ଫଳଟିଏ କଷି ନଧରୁ 

ଯଦି ଫଳ ଦେବ ତ ଅମୃତର ଦେଉ

ନହେଲେ ଅଫଳା ହୋଇ ମରୁ... ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy