STORYMIRROR

Prashantam Bapu

Abstract Inspirational Others

3  

Prashantam Bapu

Abstract Inspirational Others

ମୁଁ ନଥିଲେ ବି

ମୁଁ ନଥିଲେ ବି

2 mins
193



ମୁଁ ନଥିଲା ବେଳେ ବି ଦେଖି ପାରନ୍ତି କି

ମୋ ପରିବାର ବର୍ଗ ବନ୍ଧୁ ପରିଜନ  

ପରିଚିତ ଲୋକେ ଆଉ ଶତ୍ରୁ ଯେତେଙ୍କ ଆଖିରେ 

ମୋ ବିନା ମୋ ଦୁନିଆଟା କେମିତି ଦିଶୁଛି

 

କିଏ ଦୁଇଦିନ କିଏ ଦିନେ କିଏ ଘଡ଼ିଏ 

ତ କିଏ କ୍ଷଣୁଟିଏ ମନେ ପକାଇ 

ଦୁଃଖୀ କି ଖୁସି ହୋଇ ପାରନ୍ତି 

ଏଠି କାହା ବିନା କେବେ କିଛି ଅଟକେ ନାହିଁ

ତଥାପି ମୁଁ ମୋ ଚାରିପାଖର ଦୁନିଆରେ

ନିଜକୁ କେନ୍ଦ୍ର ବୋଲି ଧରିନେଇ କେତେ କଷ୍ଟ ପାଏ 

କେବେ ପୁଣି ଭାବେ ମୁଁ ନଥିଲେ ମୋ ଏ ସଂସାର 

ଆଖି ପିଛୁଳାକେ ଛାରଖାର ହୋଇଯିବ 

ଏଇମିତି ଧରିନେଇ ସହୁଥିବା କଷ୍ଟରୁ 

ଆତ୍ମସୁଖର ରସ ବି ଶୋଷି ନିଏ ।


ମୁଁ ଏକା ଏଇମିତି ଭାବେ ନାଁ ସଭିଏଁ ଭାବନ୍ତି ?

ମୁଁ ତ ଆଉ କେଉଁ ଅଲଗା ଲାଉର ମଞ୍ଜି ନୁହେଁ 

ଯେତେ ବଡ଼ ମୁଖା ସେତେ ପୁଣି ଅଧିକ ଭୟ  

ଏଇଥି ପାଇଁ କି ମଣିଷର ଏତେ ଲୋଭ 

ସମ୍ପତ୍ତି କ୍ଷମତା ଆଉ ଦେହ ତୃଷ୍ଣାର ପରିତୃପ୍ତି ପ୍ରତି


ମୋ ଜୀବନର ତ ଏକ ମାତ୍ର ଲକ୍ଷ୍ୟ  

ଯିବା ପୂର୍ବରୁ ନିଜକୁ ଏକମାତ୍ର ପୂଜ୍ୟ କରିଦେଇ ଯିବି 

ଗଢ଼ିଦେଇ ଯିବି ନିଜ ପାଇଁ ସର୍ବୋଚ୍ଚ ସର୍ବଶ୍ରେଷ୍ଠ 

ଉତ୍କର୍ଷ ସ୍ଥାପତ୍ୟ ଆଉ ପ୍ରତିମୂର୍ତ୍ତିମାନ 

ସଭିଙ୍କ ମନ ହୃଦୟରେ ଗର୍ଭଗୃହରେ ବସିରହିବି 

ଧାତୁ ପଥର କାଠର ଅଚଳ ମୂର୍ତ୍ତି ଭଳି 

ବାହା ମେଲାଇ ବଡ଼ ବଡ଼ ଆଖି ଦେଖାଇ 

କିମ୍ବା ନିଜ ପ୍ରଣିତ ଦଶଟି ଆଜ୍ଞା ଭାବରେ 

 

ଦରପାଠୁଆ ବିଶୃଙ୍ଖଳ ଦିଗଭ୍ରଷ୍ଟ ଯୁବକ ଯେତେଙ୍କୁ 

ନିଜ ପାର୍ଟି ରଙ୍ଗରେ ରଙ୍ଗେଇ ଦେଇ 

ଗୋଲାମୀର ମିଠା ମଧୁର ନିଶାରେ ମସଗୁଲ୍ କରାଇ

କ୍ଷମତା ଅର୍ଥ ଦେହ ଆଉ ମଦ ମାଂସର ଲୋଭ ଦେଖାଇ 

ଯେତେ ସମ୍ଭବ ସେତେ ସେତେ ସେମାନଙ୍କୁ 

ଅନ୍ଧଭକ୍ତ ମୁକଭକ୍ତ ବଧିର ଭକ୍ତ କରିଦେଇଯିବି 

ମୋ ଯିବା ପୂର୍ବରୁ ଯେମିତି ସେମାନଙ୍କ ଦେଇ

ପୃଥିବୀର ପ୍ରତ୍ୟେକ କୋଣ ଅନୁକୋଣରେ 

କେବଳ ମୋରି ଦଳର ଦମନ ପତାକା 

ନାଲି ଆଖି ଦେଖାଇ ଫରଫର୍ ହୋଇ ହସୁଥିବ


ମୁଁ ନରହିଲେ ବି ମୋ ପରମ ଭକ୍ତ ସବୁ 

ବାକି ଯେତେ ଅମହଣା ମଣିଷଙ୍କୁ ମେଣ୍ଢା କରି 

ନିଜ କଟ୍ଟର ଧର୍ମରେ ସଭିଙ୍କୁ ଦୀକ୍ଷିତ କରି  

ମାନବ ସଭ୍ୟତା ତିଷ୍ଠିଥିବା ଯାଏଁ ରାଜ୍ କରିବେ 

ସେ ଚନ୍ଦ୍ରକୁ ଯାଉ କି ମଙ୍ଗଳକୁ କି ଆଉ କେଉଁ 

ନୂତନ ଗ୍ରହର ସନ୍ଧାନ କରି ବାସ କରୁ 

ମୋରି ଫମ୍ପା ଆଦର୍ଶକୁ ସାଥିରେ ଧରି ହିଁ ଯିବ 

ସର୍ବତ୍ର କେବଳ ମୁଁ ବା ମୋର ଆଦର୍ଶ 

ଅନନ୍ତ କାଳ ଯାଏଁ ଏକଛତ୍ର ଶାସନ କରିବ ।


Rate this content
Log in

Similar oriya poem from Abstract