କର୍ତ୍ତବ୍ୟ
କର୍ତ୍ତବ୍ୟ


ଦେଇଛୁ ଜୀବନ କର୍ତ୍ତବ୍ୟ ଭି ଦେବୁ
ଭକ୍ତି ତତେ କରୁଥିବି,
ଗୁରୁଜନ ପ୍ରତି ଆଦର ରଖିବି
କର୍ତ୍ତବ୍ୟେ ଜଡ଼ିତ ଥିବି।୧।
ବିମୁଖ ଟି ନହୁ କର୍ତ୍ତବ୍ୟ ମାର୍ଗରେ
ଆଶୀର୍ବାଦ କରୁଥିବୁ,
ଅବାଟକୁ ଗଲେ ସୁବାଟେ ଆଣିବୁ
ମନେ ଧ୍ୟାନ ରଖିଥିବୁ।୨।
ଆଶ୍ରାକରି ଅଛି ତତେରେ କାଳିଆ
ଅନ୍ୟ ମୋର ଇଚ୍ଛାନାହିଁ,
ଜୀବନ ଦେଇଛୁ କର୍ତ୍ତବ୍ୟ ଭି ଦେବୁ
ଭରଷା କରିଛି ମୁହିଁ।୩।
ଜୀବନ ବିକିଛି ତତେରେ କାଳିଆ
ଅହରହ ତୋର ଚିନ୍ତା,
ତୋହରି ଭକ୍ତିରେ ମୋ କର୍ତ୍ତବ୍ୟ ରହୁ
ଦୂର ହେଉ ଏହୁ ଚିନ୍ତା।୪।
ଗୃହର କର୍ତ୍ତବ୍ୟ ସାର୍ଥକ କରହେ
ରହୁ ଶାନ୍ତିରେ ହିଁ ଗୃହ,
ରାଷ୍ଟ୍ର ସେବା ମୋର କର୍ତ୍ତବ୍ୟ କରହେ
ଗୁଞ୍ଜୁ ଥାଉ ଏହୁ ଦେହ।୫।
ଜନ
ସେବା ହେଉ କର୍ତ୍ତବ୍ୟ ମୋହର
ନିଃସ୍ବାର୍ଥର ଭାବ ଜାଗୁ,
ଲୋଭ ମାୟାମହ ଦୂର କରି ଦିଅ
କର୍ତ୍ତବ୍ୟ ଜୀବନେ ଜାଗୁ।୬।
ସତ୍ୟପଥ ରହୁ କର୍ତ୍ତବ୍ୟେ ମୋହର
ଧର୍ମପଥ ରହୁ ସଦା,
ଜନତା କଲ୍ୟାଣେ ମନପ୍ରାଣ ରହୁ
କର୍ତ୍ତବ୍ୟେ ରଖହେ ସଦା।୭।
ମାଗୁନାହିଁ ଧନ ମାଗୁନି ବୈଭବ
ମାଗୁଣି କର୍ତ୍ତବ୍ୟ ତତେ,
ମନୁଷ୍ୟ କର୍ତ୍ତବ୍ୟ ପୂରଣ କରହେ
କର୍ତ୍ତବ୍ୟେ ରହିବି ନିତ୍ୟେ।୮।
କର୍ତ୍ତବ୍ୟ ହିଁ ଶ୍ରେଷ୍ଠ ଏ ଭୂମଣ୍ଡଳରେ
ଅମୂଲ୍ୟ ରତନ ଏହୁ,
ତୋହରି ବଚନ ପ୍ରଭୁ ଜଗନ୍ନାଥ
ପୂରଣ କରିବୁ ଏହୁ।୯।
ଭଜୁଥିବି ନିତ୍ୟେ କୃଷ୍ଣ ରାମ ନାମ
ଭଜୁ ଥିବି ଜଗନ୍ନାଥ,
କର୍ତ୍ତବ୍ୟେ ଜଡ଼ିତ ନିତ୍ୟେ ରହିଥିବି
ଗାଉଥିବି ଜଗନ୍ନାଥ।୧୦।