STORYMIRROR

Prashantam Bapu

Abstract Fantasy Inspirational

3  

Prashantam Bapu

Abstract Fantasy Inspirational

ମଣିଷ ଖିଆ କୁମ୍ଭୀର

ମଣିଷ ଖିଆ କୁମ୍ଭୀର

2 mins
133


ଭଲପାଇବାର ବନ୍ଧୁତାର ଛଳନାରେ ଛନ୍ଦି 

ମିଠା ମିଠା କଥା କହି ପିଠିରେ ବସାଇ 

ନଇ ମଝିକୁ ନେଇ କଲିଜା ମାଗୁଥିବା

ମଣିଷ ବେଶରେ ମଣିଷ ଖିଆ କୁମ୍ଭୀରଟିଏ ମୁଁ 

ଆତ୍ମମୁଗ୍ଧରେ ବିଭୋର ଜଣେ କ୍ଷମତା ଲୋଭି 

ଚରମ ସୁବିଧାବାଦୀ ପରଜୀବୀଟିଏ ମୁଁ ।


ସ୍ୱାର୍ଥ ହାସଲ କରିବାର ଥିଲେ  

ମାପଚୁପ ମହୁଝରା କଥା ଦୁଇପଦ 

ମିଛ ପ୍ରଶଂସା ସହ ମୋଟା ତେଲ ଟିକିଏ 

ଆହା ତାହା ବିରୁଦ୍ଧରେ ଚୁଗୁଲୀଆମୀ 

ଦରକାର ପଡ଼ିଲେ ଅନ୍ୟ କାନ୍ଧରେ ବନ୍ଧୁକ ରଖି

ଗୋଟିଏ ତୀରରେ ଦୁଇ ତିନିଟି ଶିକାର କରିନିଏ 

ଅପର ମନରେ ଘୃଣା ସନ୍ଦେହର ନିଆଁ ଜଳାଇ

ସେହି ନିଆଁରେ ନିଜ ଲାଭର ରୁଟି ସେକିନିଏ 

ମାଛ ତେଲରେ ମାଛ ମଧ୍ୟ ଭାଜିଦିଏ ।


ବର୍ଷା ଜୁଆଡ଼େ ଛତା ସିଆଡ଼େ କରୁଥିବା 

ମୋ ଭଳି ଧୃତ ବିବେକହୀନ ନିର୍ଦ୍ଦୟୀଙ୍କ ପାଇଁ 

ଅନ୍ୟାୟ ଅନୀତି ଅବିଚାର ବିରୁଦ୍ଧରେ

ପ୍ରଶ୍ନ କରିବା ସ୍ୱର ଉତ୍ତୋଳନ କରିବା

କି ବିଦ୍ରୋହୀ ସାଜିବା ତୁଚ୍ଛା ନିର୍ବୋଧତା ।


ମୁଁ ବି ବେଳେବେଳେ ବିଦ୍ରୋହ କରେ 

ଉଲଗ୍ନ ଉଗ୍ର ତାଣ୍ଡବ ନାଚେ

ଯେବେ ପାନରୁ ଟିକିଏ ଚୁନ ଖସିଯାଏ 

ହାତମୁଠାରୁ କେହି ମୁକୁଳିବାକୁ ଚାହେଁ 

ମୋ ଠାରୁ ଅନ୍ଯକୁ ଅଧିକ ଗୁରୁତ୍ବ ମିଳେ

ଛୋଟ ଲୋକଟିଏ ମୋ ତଥାକଥିତ କ୍ଷମତାକୁ 

ଅବମାନନା କରି , ଆଖିରେ ଆଖି ମିଳାଇ 

ପ୍ରଶ୍ନ କରିବାର ଦୁଃସାହସ କରେ ।


ଅଇଁଠାଖିଆ ଖୋସାମଦିଆ 

ଚାଟୁକାର ଯେତେ ସବୁ ମୋର ଅତି ପ୍ରିୟ 

ଯେତେ ମିଛ ପ୍ରଶଂସା କଲେ ବି 

ମନ ମୋର ବୁଝେନି 

ସମୁଦ୍ର ଦେଖି ନଥିବା କୁଅ ବେଙ୍ଗ ପରିକା

ଆହୁରି ଆହୁରି ଫୁଲିବାକୁ ଇଚ୍ଛା ହୁଏ ।


ସତ ବାସ୍ତବ ସବୁ ତିକ୍ତ ଅରୂଚିକର

ଯିଏ ଅଇନାରେ ମୋ କ୍ରୂର କଦର୍ଯ୍ୟ 

ଘୃଣ୍ୟ ଚେହେରାକୁ ଦେଖେଇ ଦିଏ

ବିପକ୍ଷରେ ଠିଆ ହୋଇ 

ଶାସନକୁ ମୋର ସମାଲୋଚନା କରେ 

ମଣିଷ ହେବାକୁ ମାଗଣା ଉପଦେଶ ଦିଏ

ତା' ମୁହଁ ଭାଙ୍ଗି ତାକୁ ଦମନ କରିବାକୁ

ତା' ଜିଅନ୍ତା ଦେହକୁ ଝୁଣିଝୁଣି ଖାଇବାକୁ 

ହିଂସ୍ର ଭୋକିଲା ଜଙ୍ଗଲି ହେଟା ପରି

ମନ ହେଲେ ବି ହାତରେ ନମାରି 

ଭାତରେ ମାରିବାର ଯୋଜନା ଫାନ୍ଦେ ।


ଅଛନ୍ତି ମୋ ଚାରିପାଖେ ମୋ ଭଳି 

ଅନେଶତ ମେରୁଦଣ୍ଡ ବିହୀନ ମତଲବୀ 

ଏ ଜାତୀୟ ସଂକ୍ରାମକ ଭୁତାଣୁ ସବୁଠିଁ ହଳହଳ ।


ଶିକାର କ୍ଷମତା ହଡ଼ପିବାକୁ 

ପଛରେ ରହି ହୁକୁମ ଚଳାଇବାକୁ

ମିଛ ସିଂହ ଭାଗ ଦେଇ

ବାକି ତକ ମାଂସହାଡ଼ ନିଜେ ଚୋବାଇବାକୁ 

ଏମାନେ ନିଜ ରଚିତ ନାଟକରେ 

ମୋ ଭଳି ସଖି କଣ୍ଢେଇକୁ ରାଜା କରାନ୍ତି

ପୁଣି ପଛେ ପଛେ ହାତ ମଳିମଳି 

ଶୂନ୍ୟରେ ଲାଞ୍ଜ ହଲହଲ କରି

ଲାଲ୍ ଲାଳୁଆ ଲୋଭିଲା ଜିଭକୁ ଲମ୍ବାଇ 

ଶୁଙ୍ଘି ଶୁଙ୍ଘି ନସର ପସର ହେଉଥାନ୍ତି 

ମୌଉକା ଟିକିଏ ପାଇବା କ୍ଷଣି 

ଏମାନେ ଆଗ ନିଜ ଭାଇବନ୍ଧୁର 

ତଣ୍ଟି କଣା କରି ରକ୍ତ ପିଇଯିବେ

ଆପଣା ବେଉସା ଚାଲୁଥିବା ଯାଏ

ଲାଭ ଲାଞ୍ଚ ଖାଉଥିବା ଯାଏଁ 

ଭଦ୍ର ମୁଖା ପିନ୍ଧି ପୋଷା ମାନି ଥିବେ ।


ଏମାନଙ୍କ ବୁଦ୍ଧିରେ ଘୋଡ଼ା ଚଢ଼ି 

କେବେ ଗଧ ରାଜା ହୁଏ ତ

କେବେ ପୁଣି ରାଜା ଗଧ ପାଲଟେ 

ମୁଁ ଗଧରୁ ରାଜା ପାଲଟିଛି 

ନାଁ ରାଜାରୁ ଗଧ ହେଲିଣି ? 

ମୁଁ ସତରେ ବଞ୍ଚିଛି 

ନାଁ କେଉଁ ଶୋଇଥିବା ଦାନବର 

ତିକ୍ତ ମଧୁର ସ୍ୱପ୍ନଟିଏ ମାତ୍ର ?


 



Rate this content
Log in

Similar oriya poem from Abstract