ପତିତପାବନ
ପତିତପାବନ
ପତିତପାବନ ବୋଲି ଉଡ଼ାଉଛ ବାନା
ନୀଳଚକ୍ରେ ଉଡୁଅଛି ବାନା
ଦାନା କନା ପାଉଛି ତୁମରି କରୁଣାରୁ
ହେଲେ ମନ କିଆଁ ଆନମନା ।
ସୁଖ ସମୟରେ ତୁମ ନାମ ଭୁଲିଯାଏ
ମୋହ ମାୟାରେ ମନ ଭ୍ରମୁଚ୍ଛି
ଦୁଃଖ ସମୟରେ ପତିତପାବନ ନାମ
ଆପେ ଆପେ ମନକୁ ଆସୁଛି ।
ମନ୍ଦ କାମ କଲା ବେଳେ ମନରେ ଗରବ
ମନ୍ଦ କାମ ଦେଖୁନାହିଁ କେହି
କ୍ଷଣିକ ର ସୁଖ ପାଇଁ ପାପ ପୁର୍ଣ୍ଣ କଥା
ମନେ ଭାବେ କେହି ଶୁଣୁ ନାହିଁ ।
ଦୁଃଖ ବିପଦ ଯେବେ ବି ହୁଅଇ ଦାରୁଣ
ମନେ ପଡେ ମନ୍ଦିର ଦୁଆର
ମନେ ମନେ ଦୁଃଖ ଜଣାଇ ଗୁହାରି କରେ
ଏ ପତିତ ର ଦୁଃଖ ଦୂର କର ।
ଦୁଃଖ ମୋର ଶୁଣୁଛନ୍ତି ପତିତପାବନ
ସବୁ ଦୁଃଖ ନିଶ୍ଚେ ହେବ ଦୂର
ସୁଖେ ଭୁଲି ଦୁଃଖରେ ଗୁହାରି କରୁଛି
ଏଇ ଅଧମ ପତିତ ପାମର।
ପତିତପାବନ ଚାହିଁ ଜଣାଉଛି ଦୁଃଖ
କୃପା କରି ହୁଅ ମନ-ମିତ
ପତିତ ଉଦ୍ଧାର ପାଇଁ ଏ କଳି କାଳରେ
ରତ୍ନ ସିଂହାସନେ ବିରାଜିତ
ଏ କଳି ଯୁଗର ପାପୀ ପତିତ ମାନଙ୍କୁ
ରକ୍ଷାକର ପ୍ରଭୁ ଜଗନ୍ନାଥ ।।