"ହିଆ '' ମୋ ମାଆ
"ହିଆ '' ମୋ ମାଆ
ହଁ , ମୁଁ "ହିଆ" ପୁଅ "ଜଟିଆ"
"ହିଆ"ମୋ ମା'ର ଶବ୍ଦ, ପ୍ରତି କଥାରେ "ହିଆ"
ପ୍ରତି କଥାର ଆରମ୍ଭ ଓ ଶେଷରେ
ଅବଶ୍ୟ "ହିଆ"ପଦ ହିଁ ଲାଗି ରହୁଥିଲା
ସାହି ପଡିଶା ବି କୌତୁକରେ ,"ହିଆ" ବୁଢ଼ୀ ଡାକ
"ହିଆ" ଶବ୍ଦ ଥିଲା,ଆମ ପରିବାରର ପରିଚୟ
ବେଳେବେଳେ ଖାଲି "ହିଆ", "ହିଆ"
ବୁଝି ଯାଉଥିଲୁ,ମା'ର ଖୋଜିବା ଜିନିଷ ମିଳୁନି
ଆମ ପାଇଁ ମା' କହିଲେ " ହିଆ"
"ହିଆ" କହିଲେ ବି ,ମା'
କେବଳ ମା' ହିଁ ଡାକୁଥିଲା "ଜଟିଆ".. "ଜଟିଆ"
ଘରର ସାନ ପିଲା ବୋଲି ,ମା'ର ଗେହ୍ଲା ପିଲା
ମୋର ସବୁ କଥା ଓ କାମ ରେ ମା'ର ନଜର
"ଜଟିଆ" ଖାଇଲା କି' ନାହିଁ!
"ଜଟିଆ' କୁଆଡେ଼ ଗଲା!
"ଜଟିଆ" କାହିଁକି କାନ୍ଦୁଛି!
କେତେବେଳେ "ଜଟିଆ" ସ୍କୁଲରୁ ଆସିବ !!
"ଜଟିଆ"କହିଲା ପରେ ପରେ "ହିଆ" "ହିଆ"
କେବଳ ମା'ର ହିଁ "ଜଟିଆ" ଡାକ
ସେ ଡାକରେ ବୋଳା ଥିଲା , ସ୍ନେହ ଓ ମମତା
ମା' ଦେଇ ଥିବା ନାମର ଯଥାର୍ଥତା ଥିଲା
ଡେରି ହେଲେ ବି ଆଜି ଠିକ୍ ବୁଝିଛି
"ଜଟିଆ" ର ଅର୍ଥ ବି ଖୋଜିଛି
ଇଂରାଜୀରେ କହିଲେ ପ୍ରାୟ ବୁଝି ହେବ!!
ଅର୍ଥାତ୍ କଂପ୍ଲିକେଟେଡ ବା "ଜଟିଆ "
"ଜଟିଆ"ର ଆକ୍ଷରିକ ଅର୍ଥ ଡେରିରେ ବୁଝିଲି
ବୋଧେ ମା' ଜାଣିଥିଲା ମୋ ହୃଦୟ ସ୍ପନ୍ଦନ
କୁଟିଳ ଜଟିଳ ଏହି "ଜଟିଆ"ର ମତି ଆଉ ଗତି
ନିଜ ଶୁଭ ଓ ସ୍କୁଲ୍ ନାମର ଗୁରୁତ୍ଵ କମିଛି
ସେ ମା' ଡାକ "ଜଟିଆ"ନାମକୁ ମନରେ ଭାବୁଛି
ଦାଣ୍ଡ ଧୂଳି ପରି ମା' ଗାଳି ବି ଦେଇଛି
ଝାଡି ଝୁଡ଼ି ପୁଣି ହାତେ ଖୁଆଇଛି
ବେଶି ଦୁଷ୍ଟ ହେଲେ, କାନ ମୋଡା ମାଡ
ପରେ ପରେ ସ୍ନେହ ବୋଳା କଥା
ମୁଣ୍ଡ ଆଉଁସି ଖୁଆଇବା ସହ,ମିଠା ମିଠା କଥା
ସେମିତି ହୁଅନା "ଜଟିଆ" !!!
ଭାସି ଭସାଇଛି,ସିଏ ବାତ୍ସଲ୍ୟ ପ୍ରେମରେ
ମା' ର ହାତ ତିଆରି ଖାଦ୍ୟ
ଯାହା ବି ରନ୍ଧା ହେଉଥିଲା, ବହୁତ ସ୍ଵାଦିଷ୍ଟ
ଅମୃତ ଠୁ ବଳି,ହାତ ଚାଟେଇ ଖିଆ
ପର୍ବ ପର୍ବାଣୀରେ ପିଠ ପଣା ଖିରି
ଅତିଥି ଆସିଲେ ଅଧିକ ତିଅଣ ଓ ଭଜା
ଭୂଲି ହେଉନାହିଁ ସେ ସମୟ ଖାଇବାର ମଜା
ଅସୁସ୍ଥତା ସମୟର ସେବା ଓ ଶୁଶ୍ରୁଷା
ରାତି ରାତି ଉଜାଗର ରହି ପାଖ ନ ଛାଡ଼ିବା
ତୁହାକୁ ତୁହା ଭଲ ମନ୍ଦ ପଚାରି ବୁଝିବା
ଦିଅଁ ଦେବତା ଙ୍କୁ ମାନସିକ ରଖି
ଗୋଡ ହାତ ଦେହ ମୁଣ୍ଡ ଆଉଁସି ଆଉଁସି
ସୁସ୍ଥ ହେବୁ ରେ "ଜଟିଆ",ଠାକୁରଙ୍କୁ ମନାସ ରଖିଛି
ଆଖିରେ ଆଖିଏ ଲୁହ ପୁଣି ଅଖିଆ ଅପିଆ!!!
ଅସରନ୍ତି କଥା ଅଛି ମୋ ମାଆର,!!
ସଂକ୍ଷେପରେ ବି କହିବାକୁ ହେବ
ଜୀବନ ନାଟକରେ ବାଟବଣା କଥା
ମା' ବୁଝି ବୁଝାଇ ବି ଥିଲା
ଘର ସଜାଡ଼ିବା ର ସୂତ୍ର କହିଥିଲା
ବାଟ ହୁଡ଼ି ଗଲେ ,ପରିଣାମ ବଡ ଭୟଙ୍କର
କହୁଥିଲା ତୁହାକୁ ତୁହା , ମୁଣ୍ଡକୁ ଆଉଁସି!!!
ଦୂରରେ ଥାଇ ଶୁଣିଲି,ମା ' ର ଅନ୍ତିମ ସମୟ
ପହଞ୍ଚିବା ପୂର୍ବରୁ ମା' ସେ' ପାରି ର ଯାତ୍ରୀ
ହତଭାଗ୍ୟ ହାୟ!! ହେଲା ନାହିଁ ଅନ୍ତିମ ଦର୍ଶନ
କିଛି ବି କରି ପାରିଲିନି
ମୁଠାଏ ଦାନା ଅବା ମିଠା ଦି'ପଦ !!!
ପାଖେ ବସି କଥା ବି ହେଇନି
ଦୁଃଖ ସହି "ଜଟିଆ"କୁ ମଣିଷ କରିଛି
ଅନ୍ତିମ ବେଳା ରେ ବି "ଜଟିଆ"ଖୋଜିଛି
'ଜଟିଆ"ର "ହିଆ-ମା' ଆଉ ନାହିଁ!
"ଜଟିଆ" ଖୋଜୁଛି "ହିଆ"କୁ, ତା ' ମା' ଓ "ହିଆ"କୁ
ଯିଏ ଦେଖୁ ଦେଖୁ ଖୁସିରେ କାନ୍ଦୁଥିଲା
ଗୋଡ଼ ହାତ ତଳେ ଲାଗୁ ନ ଥିଲା
ମୋ "ଜଟିଆ"ଆସିଛି!
ଖାଇ ପିଇ ଶୋଇବା ପର୍ଯ୍ୟନ୍ତ
"ହିଆ- ମା' ବସି ପାରୁ ନ ଥିଲା,ଗୋଟିଏ ଜାଗାରେ
"ଜଟିଆ"ଆଜି ବି ଘର କୁ ଯାଉଛି
ହେଲେ "ହିଆ-ମା' କୁ ଖୋଜୁଛି
ତା ଦୁଃଖ କହିବାକୁ
"ଜଟିଆ"ର ଅକଥନୀୟ ଦୁଃଖ
ଏତେ ଦୁଃଖ "ଜଟିଆ"ର ଦେଖି ଜାଣିବା ଆଗରୁ
"ହିଆ-ମା' ଆଉ ନାହିଁ..' ଜଟିଆ' ଆଜି ଏକୁଟିଆ
କେହି ଆଉ ଡାକୁ ନାହାନ୍ତି,"ଜଟିଆ..ଜଟିଆ"
ଡାକ ଆଉ ଶୁଭୁ ନାହିଁ "ହିଆ ଓ ଜଟିଆ"
ଉଡି ଯାଇଛି ମୋ ନେତ, ଉଡ଼ିଚ୍ଛି ମା'ର ପଣତ
ସେହି ମା' ପଣତ-ନେତ କୁ ହୃଦୟ ରୁ ପ୍ରଣିପାତ ।।
