ପ୍ରୟାସ ଓ ପ୍ରତୀକ୍ଷା
ପ୍ରୟାସ ଓ ପ୍ରତୀକ୍ଷା
ପ୍ରୟାସ ବଞ୍ଚିବାର -
ଜୀବନ ପ୍ରତି ଅସମ୍ଭବ ପ୍ରେମ ପାଇଁ,
ମଣିଷ ସେଇ ଚମତ୍କାର
ସଂସାରରେ ରହିବାକୁ ଭଲ ପାଏ ।
ବୟସର ଶିଖରରେ - ନିର୍ବାସିତ ଓ
ଉପେକ୍ଷିତ ଅତୀତଟିଏ ହୋଇ -
ମୃତ୍ୟୁର ପଞ୍ଝାରେ ଆଲିଙ୍ଗନ ହୋଇ ।
ଅନୁଭବ କରେ ଶୂନ୍ୟତା -
ଯେଉଁଠି ଉତ୍ତାଳ ସମୁଦ୍ର
ଧାଇଁ ଆସିଥିଲା ଦିନେ ଦିଗ୍ ବଳୟକୁ,
ଚୁମ୍ବନ ଦେବା ପାଇଁ ।
ସେଠାରେ ଏବେ ଏକ ନିସ୍ତବ୍ଦ
ସମତଳ ପୃଥିବୀ ;
ଯେଉଁଠି ଶରୀର ନିତି ପାଦ ଥାପେ ,
ନିଜ ଓଜନ ସହ
ଆଗକୁ ଗତି କରେ ଓ
ସାମନାର ମଣିଷକୁ ମିଛ କହେ -
"ସେ ଭଲ ଅଛି । "
ପ୍ରତୀକ୍ଷା - ଆଗରେ ଥିବା
ସେଇ ସୁନ୍ଦର୍ ଇଲାକା,
ଦାର୍ଶନିକ କୃଷ୍ଣର ବୈକୁଣ୍ଠ।
କିନ୍ତୁ ଉତ୍ତର ଆକାଶର ଧ୍ରୁବ ତାରା,
ଏବେ ଆଉ ଦିଶୁନାହିଁ
ପଥ ଦେଖାଇବାକୁ ।
ସମୟ ଆସିବ -
ଯେତେବେଳେ ଯନ୍ତଣାରେ ଆଣ୍ଠୁ,
ପାଦକୁ ଚାଲିବାକୁ ମନା କରିଦେବ ।
ଦୁର୍ବଳ ହାତ ଭୋକର ଭାତ ଗୁଣ୍ଡା,
ପାଟିକୁ ନେବାକୁ ମନା କରିଦେବ ।
ଶୋଷର ଶୁଖିଲା ଓଠ ପାଣି ବିନା,
ଫାଟି ଯାଇ ଲୁଣିଆ ରକ୍ତ ବୋହିବ ।
ଆଉ ଆଖିକୁ କେବଳ ଦୂରରେ ଉଡୁଥିବା,
ଶାଗୁଣା ମାନଙ୍କର ଲମ୍ବା ଡେଣା ଦେଖାଯିବ !
ବିରାମ ନେବାକୁ ଥିବା କ୍ଲାନ୍ତ ଜୀବନକୁ ପାଖରୁ ଦେଖି,
ଯେତେବେଳେ ଶରୀର ଜଡ଼ ହୋଇ ଆସୁଥବ ;
ଚେତନା ଓ କୋମା ମଝିରେ,
ବାକି ଥିବା ଇଛା ମାନଙ୍କର,
ଶେଷ ହିକ୍କା ଉଠିବ ।
ଏହାପରେ ବହୁତ ହାଲକା ହୋଇ ଯାଇ,
ବଞ୍ଚିବାର ପ୍ରୟାସ ମାନେ;
ଡେଣା ମେଲାଇ ଉଡି ଯିବେ ବହୁତ ଦୂରକୁ ।
ଜୀବନକୁ ଖୋଜିବାକୁ -
ପୁନଶ୍ଚ -
ଆଉ ଥରେ ।