ତୁହି ମା ଦୁଃଖ ହାରିଣୀ
ତୁହି ମା ଦୁଃଖ ହାରିଣୀ
କର ଶୁଭାଶିଷ ଦୁର୍ଗେ ପବିତ୍ର ଧରଣୀ
କର ସମୃଦ୍ଧଶୀଳ ରାଷ୍ଟ୍ର ଜଗ ତାରିଣୀ
କରୁଣା କର ଭବାନୀ
ତବ ବିନୁ ଗତି କାହିଁ ହେ ବ୍ରହ୍ମଚାରିଣୀ !!
କି ଦେଇ ପୂଜିବି ମାତେ ସବୁତ ତୋହର
ଜନନୀ ଅଟୁ ତୁ ଚରାଚର ବ୍ରହ୍ମାଣ୍ଡର
ସନ୍ତାନ ଆମେ ତୁମର
ଭକ୍ତି ପ୍ରେମ ଶ୍ରଦ୍ଧା ଦେଇ ପୂଜିବୁ ପୟର !!
ଶକ୍ତି ଅଛି କାର ତୋର ମହିମା ବୁଝିବ
ମହିଷା ମର୍ଦ୍ଦିନୀ ସିଂହ ବାହିନୀ ଜାଣିବ
ଅନ୍ତର୍ଗତେ ଭକ୍ତିଭାବ
ଗୁଞ୍ଜୁ ଥିବ ଯାର ହୃଦେ ସେହୁ ବା ଚିହ୍ନିବ !!
କରୁଣା କରହେ ସତ୍ୟ ପଥରେ ରହିବି
ଶକ୍ତି ଦେଇ ଅଛ ତୁମେ କର୍ମ କୁ କରିବି
ଜନ ଜନ ସେବୁ ଥିବି
ଦିବ୍ୟଜ୍ଞାନ ଦିଅ ଦୁର୍ଗେ ଚରଣ ପୂଜିବି !!
ସବୁଜ ରଙ୍ଗର ବସ୍ତ୍ର ଧାରଣା କରିବି
ପ୍ରକୃତି ରାଣୀ ସୌନ୍ଦର୍ଯ୍ୟ ଆଦର କହିବି
ବାତ୍ସଲ୍ୟ ପ୍ରେମ ଭାବିବି
ସନ୍ତାନ ସନ୍ତତି ପାଇଁ ସବୁଜ ପିନ୍ଧିବି !!
ଥିବେ ମଣ୍ଡପରେ ଦେବୀ ନେତ୍ରେ ଦେଖୁଥିବି
ପ୍ରେମର ନୈବେଦ୍ୟ ଦେଇ ମାଆଙ୍କୁ ପୂଜିବି
ଅନ୍ତର୍ଗତେ ଜପୁଥିବି
ପ୍ରେମ ପ୍ରୀତି ଶ୍ରଦ୍ଧା ତାଙ୍କୁ ଅଜାଡି ମୁଁ ଦେବି !!
ମନବାଞ୍ଛା ପୂର୍ଣ୍ଣ ଶକ୍ତି ନିଶ୍ଚୟ କରିବେ
ଗୃହସ୍ଥ କାର୍ଯ୍ୟରେ ମାତା ଶକ୍ତି ଦେଉ ଥିବେ
କର୍ତ୍ତବ୍ୟର ଜ୍ଞନ ଦେବେ
ଆତ୍ମନିର୍ଭର ର ଶକ୍ତି ପ୍ରଦାନ କରିବେ!!