ଦହନ
ଦହନ
ଏବେ ତ ଶୁଖିବା ଆରମ୍ଭ ହେଉଛି
ମନ ନାମକ କୋମଳ ପତର
ହୃଦୟ ନାମକ କଞ୍ଚା ମହକିତ କାଠ
ସମ୍ପୂର୍ଣ୍ଣ ଶୁଷ୍କତା ପ୍ରାପ୍ତ ହେଲା ପରେ
ଯେକୌଣସି କ୍ଷଣେ ଛୁଇଁପାରେ ନିଆଁ
ଆଉ ତା' ପରେ ଖୁବ୍ ଜଳିବ ଓ ଜାଳିବ ମଧ୍ୟ
ଜଳିବ ଅନ୍ତରର ସମସ୍ତ ବିକାର
ଅହଙ୍କାର ଭାବ ଆଉ କିଛି ପୂର୍ଣ୍ଣ ହେଉନଥିବା ଶୂନ୍ୟତା ।
ଜୀବନ ଜଙ୍ଗଲରେ ନଥିବ ସବୁଜିମା
ନା ଥିବ ଲୁହର ଗାଲିଚା ନା ହସର ବସନ୍ତ
ଥିବ ଯଦି ଏକ ଯନ୍ତ୍ର ପରି ଜୀବନ
ଆଧୁନିକତାର ମନ୍ତ୍ର ଉଚ୍ଚାରଣ ନ କରିପାରି
ପୁରାତନ ମାଟିର ଭାଷାରେ ସରିସରି ଯିବ
ମାଟିଘର ବନ୍ୟାଜଳେ ଧୋଇଲା ପରି
ମାଟିରୁ ନିର୍ମିତ ଶରୀରଟି ସମୟର ବିଭୀଷିକାରେ
ଧୀରେଧୀରେ ମାଟି ସହ ମାଟି ହୋଇଯିବ
ବାକି ରହିଯିବ କିଛି ସ୍ମୁତି କିଛି ଅକୁହା କଥା ।
ଏ ଦହନରେ ଜଳିବ ଜଣେ
ବାକି ସମସ୍ତେ ଆଲୋକିତ ହେବେ
ଉଦ୍ଭାସିତ ହେବେ ଶାନ୍ତିର ଉଜ୍ଜଳ ପଣରେ
ଶୁଭମୟ ହେବ ସମସ୍ତ ମଣିଷର ମନ ଓ ହୃଦୟ
ଏକ ନୂତନ ସବୁଜତାର ପଥରେ ଧାବମାନ ହେବେ
ଆଧୁନିକତାର ଚରମତ୍ୱ ଲାଭ କରିଥିବା ପୀଢ଼ି
ଫୁଟି ଉଠିବେ ସବୁ ମ୍ଳାନ ପଡ଼ିଥିବା ଫୁଲ କଢ଼ୀ
ପ୍ରତିଟି ଆତ୍ମାରେ ଗୁଞ୍ଜରିତ ହେବ ଉନ୍ନତିର ବାର୍ତ୍ତା
ଓ ପ୍ରତିବଦ୍ଧତା ।
ନା ଭୟ କିଛି ଅଛି ଜଳିବାର
ନା ସଙ୍କୋଚ ଅଛି କିଛି ପାଉଁଶ ହେବାର
ମାଟିର ତତ୍ତ୍ଵରେ ଗଢ଼ା ଏ ଶରୀର
ମାଟିକୁ ହିଁ ଯିବ ଏଥିରେ ବରଂ ଗର୍ବ ଓ ଗୌରବ
ଏ ଦହନରେ ଅଛି ସୈାରଭ ଏ ଦହନରେ ଭୈରବ
ଏ ଭିନ୍ନ ଅନଳରେ ଜଳିବାରେ ଅଛି ମାନ ସମ୍ମାନ
ଅଛି ଅଜସ୍ର ସ୍ୱାଭିମାନ ଅଭିମାନ
ଏ ମାଟି ପ୍ରତି ଥିବା ମାଟିମଣିଷ ର ମଗ୍ନତା।