Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Aparti Charan Sethi

Tragedy

4  

Aparti Charan Sethi

Tragedy

ନୂଆବର୍ଷର ଶୁଭେଚ୍ଛା

ନୂଆବର୍ଷର ଶୁଭେଚ୍ଛା

1 min
232



ପ୍ରିୟ ବନ୍ଧୁ ମୋର ଘେନ ନମସ୍କାର

    ଓଡ଼ିଆ ନବବର୍ଷର,

ଶୁଭେଚ୍ଛା ଜଣାଏ ପ୍ରଭୁଙ୍କ କୃପାରୁ

    ସର୍ବଦା ଥାଅ କୁଶଳ।


କାହିଁ ଦିଶୁନାହିଁ ଉତ୍ସାହ ସେଭଳି 

   ଅଡ଼ୁଆ ଅଡ଼ୁଆ ଲାଗେ,

ଇଙ୍ଗିରାଜୀ‌ ନବ ବର୍ଷ ବେଳେ ଯେଉଁ

   ଭାବ ଆମ ମନେ ଜାଗେ‌।


ଛକ ବଜାରରେ ବ୍ଯାନର‌ ଝୁଲୁନି

   ଓଡ଼ିଆ ନବ ବର୍ଷର,

ଭାବ ଦିଆନିଆ ହେଉ ନାହିଁ କିଆଁ

    ଆମ ମଧ୍ଯେ‌ ପରଷ୍ପର ।


କେତେକେତେଶବ୍ଦ କେତେପୁଣି ଭାବ

    କବି କଲମରୁ ଝରେ,

ପାଶ୍ଚାତ୍ୟ ଚଳଣୀ ଉପରେ କାହିଁକି

    ସଭିଙ୍କ ନଜର ପଡେ?


ଆମ ନୂଆବର୍ଷ ପାଳନ ପାଇଁକି

    ସେତେଟା‌ ଦରଦ‌ ନାହିଁ,

ଯେମିତି ଇଂରାଜୀ ନବ ବର୍ଷ ବେଳେ

    ଯାହା ଆଖିରେ ପଡ‌ଇ‌।


ପିଲାଛୁଆଠାରୁ ବୁଢ଼ାବୁଢ଼ୀ ଯାଏ

    ପାଶ୍ଚାତ୍ୟକୁ ଅନୁସରି,

ବିଦେଶୀଆ‌ ନୂଆ ବରଷରେ କିନ୍ତୁ

    ନାଚୁଥାନ୍ତି‌ ମନ ଭରି।


ଶୁଭେଚ୍ଛା ବାରତା‌ ବଣ୍ଟାବଣ୍ଟି‌ ଚାଲେ

    ହାପି ନିୟୂଇୟର କହି,

ନୂଆବର୍ଷ ପ୍ରେମ ପ୍ରତି ସ୍ମାର୍ଟ ଫୋନ

    ସେବେଳେ‌ ପୂର୍ଣ୍ଣ ହୁଅଇ‌।


ନାଚ ଗୀତ ଡିଜେ‌ ମଦ ମାଉଁସରେ

    କମ୍ପି ଯାଏ ଚତୁର୍ଦ୍ଦିଗ‌,

ନୂଆବର୍ଷ ନୂଆବର୍ଷ ବାସୁଥାଏ

    ଖାଲି ବିଦେଶୀଆ‌ ଢଙ୍ଗ।


ଛେଳି କୁକୁଡ଼ାଙ୍କ ବିକଳ ଚିତ୍କାର

     ଚାରିଆଡେ‌ ଶୁଭୁଥାଏ‌,

ଜାନୁଆରୀ ଏକ ବଡ଼ ଦୁର୍ବିପାକ

     ତାଙ୍କ ପାଇଁ ଆଣିଦିଏ‌।


ଆଜି କିନ୍ତୁ ଆସିଅଛି ଦେଖ ଭାଇ

    ଆମ ଏ ନୂଆବରଷ‌,

ମୋ ପ୍ରଭୁ ମାରୁତି ପୁଣ୍ୟ ଜନ୍ମ ତିଥି  

    ରାମ ଦୂତ ଭକ୍ତ‌ ଶ୍ରେଷ୍ଠ।


ବସନ୍ତ ଯାଉଛି ଗ୍ରୀଷ୍ମ ପ୍ରବେଶିଛି‌

    ପଣା ସଂକ୍ରାନ୍ତି ଆସିଛି,

ଏ ଅଟେ ଓଡ଼ିଆ ନୂଆବରଷଟି‌

    ସବୁଠୁଁ ପବିତ୍ର ତିଥି‌।


ହିଂସା,ଦ୍ଵୈଷ,ରାଗ, କାମନା,ଗରବ‌

    ବିବେକ‌ ପାତ୍ରରେ‌ ଭରି,

ଜ୍ଞାନ ବୁଦ୍ଧିବଳେ‌ ଯତନେ‌ ଚକଟି‌

    ପଣାକୁ‌ ପ୍ରସ୍ତୁତ କରି।


ସ୍ନେହ ଆଦରର‌ ପଣତ ଘୋଡାଇ‌

    ଓଡିଆଣୀ‌ କହୁଥାଏ,

ଏଇ ପଣା ମୋର ପିଅ ହେ ସୁଜନେ

    ମନ ଥଣ୍ଡା ହୋଇଥାଏ‌।


ପବିତ୍ର ଓଡ଼ିଆ ନୂଆ‌ ବରଷର‌

    ଆଉ ଥରେ ନମସ୍କାର,

ଓଡ଼ିଆ ଜାତିକୁ ଆଗେ ବଢ଼ିବାକୁ

    ସହଯୋଗ ଦରକାର।


ଜଗତର ନାଥ କାଳିଆ ସାଆନ୍ତ

    ସର୍ବ ସୁଖେ ରଖିଥାନ୍ତୁ,

ପ୍ରତି ଓଡ଼ିଆର ହୃଦୟରେ ମିଠା

    ସମ୍ପର୍କ ଭରି ଦିଅନ୍ତୁ।



Rate this content
Log in

Similar oriya poem from Tragedy