STORYMIRROR

Kananbala Das

Fantasy

4  

Kananbala Das

Fantasy

ବଂଶୀ

ବଂଶୀ

1 min
819


ମୋହନ ବଇଁଶୀ ମୋହିନୀ ଜାଣିଛି

   ସମ୍ମୋହନେ କରେ ବଶ,

ପବେ ବାଉଁଶରେ କି ସୁର ଖଞ୍ଜିଛି

   କେଳି କୁଞ୍ଜେ କରେ ରାସ।।


ବଇଁଶୀର ସୁରେ ଉଚ୍ଚାଟିଆ ମନ

   ଆନମନା ହୁଏ ରାଇ,

କଣା ମାଠିଆରେ ପାଣି ଆଣି ଯାଏ

   କୃଷ୍ଣ ପ୍ରେମେ ରାଧା ବାଇ।।


ଶୁଣି ବଂଶୀ ସ୍ଵନ ଗୋପୀ ଧାଉଁଥିଲେ

    ଅଧିରେ କଦମ୍ବ ବନ,

କେତେ ଆକର୍ଷଣ ବିହ୍ଵଳ ପଣରେ

    ମନେ ଭରି ଶ୍ରଦ୍ଧା ପଣ।।


କୁହୁକ ବେଣୁର ମଧୁ ମୂର୍ଚ୍ଛନାରେ

    ଅଧିର ଯମୁନା ଜଳ,

ଉଚ୍ଚାଟିଆ ମନ ରାଧା ଛନ୍ନ ଛନ୍ନ

   ଯିବାକୁ ଯମୁନା କୂଳ।।


ବାୟାଣୀ କରିଛି ଅସ୍ତିତ୍ବ ପାଉନି

   ଶୁଣି କାହ୍ନୁ ବଂଶୀ ସ୍ଵନ,

କିମିଆ ଜାଣିଛି ମୋହନ ବଇଁଶୀ

   ସତେ କେତେ ଆକର୍ଷଣ।।


କୃଷ୍ଣ ନାମ ରସ ଅମୃତ ପୀୟୂଷ

   କରେ ସତେ ଆନମନା,

ଏଇ ମନ ହୁଏ   ଅଧିର ଅସ୍ଥିର

   ସତେକି ଡାକୁଛି କାହ୍ନା।।


ତ୍ରିଭଙ୍ଗୀ ଠାଣିରେ ବାଙ୍କ ଚାହାଁଣିରେ

    ଆକର୍ଷେ କଳା କାଞ୍ଚନ,

ଆଖି ପଲକରେ ଲାଖି ରହି ଥାଏ

    କାହ୍ନୁର ଶ୍ୟାମ ବଦନ।।


ଶିଆଳି କୁଞ୍ଜରେ ପ୍ରଣୟେ ତଲ୍ଲୀନ

    ପ୍ରେମ ଭାବ ଅନ୍ତରରେ,

ନିତ୍ୟ ରାସଲୀଳା ଆତ୍ମିକ ସତ୍ତାରେ

    ପ୍ରେମ ତିତୀକ୍ଷା ତ୍ୟାଗରେ।।


ନିତ୍ୟ ଚେତନାରେ ରାଧା ହୃଦୟରେ

    ପ୍ରୀତି ଭରା ଭାବ ଭକ୍ତି,

ନିର୍ଲିପ୍ତ ଧ୍ୟାନସ୍ଥ   ପବିତ୍ର ଶାଶ୍ୱତ

    ସମର୍ପଣେ ପ୍ରେମ ଶକ୍ତି।।


ହୃଦୟ ସ୍ପନ୍ଦନେ ବାର ବାର ଶୁଭେ

    କହ୍ନେଇର ବେଣୁ ନାଦ,

ଦେହୁ ଦେହାତିତ ଏ ପ୍ରେମ ପବିତ୍ର

   ଅମୃତ ଯାହାର ସ୍ୱାଦ।।


    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy