ବନ୍ଧୁ
ବନ୍ଧୁ
ବନ୍ଧୁ ଅଟେ ଦୁଇମନ ମିଳନର ସେତୁ, ତିଷ୍ଠିଥାଏ ପରସ୍ପର ସହଯୋଗ ହେତୁ | ଆପଦ, ସମ୍ପଦ ଅବା ବିପଦ କାଳରେ, ପ୍ରକୃତ ବନ୍ଧୁ ହିଁ ସଦା ଥାଏ ସେ ବେଳରେ | ଅସୁବିଧା ବେଳେ ଯେ ବଢାଏ ନିଜ ହାତ, ପ୍ରିୟ ବନ୍ଧୁ ସିଏ ଯିଏ ଅଟଇ ନିଃସ୍ଵାର୍ଥ | ସୁଖ ଦୁଃଖ ବାଣ୍ଟିବାରେ ହୁଅଇ ସହାୟ, ଛାଡ଼ିଯାଏ ନାହିଁ କେବେ ପଡିଲେ ଅସମୟ |ରାଜଦ୍ୱାରେ,ଦଣ୍ଡେ ଅବା ଥିଲେ ଶ୍ମଶାନରେ, ପ୍ରକୃତ ବନ୍ଧୁ ଯେ ସଦା ଥାଏ ସେ ପାଖରେ | ବନ୍ଧୁ ହେବ ଯେମିତିକା ଆକାଶ, ବାଦଲ, ସାଗର ସହ ଯେମିତି ଗଚ୍ଛିତ ଯେ ଜଳ | ପ୍ରେମ ଭକ୍ତି ଭାବ ସଦା ଥିବ ବନ୍ଧୁତ୍ୱରେ, ସଚ୍ଚୋଟ ଓ ତ୍ୟାଗରେ ବନ୍ଧୁତା ତିଷ୍ଠି ପାରେ |ପାଠକେ ଗୋଟିଏ କଥା ମନେ ରଖିଥିବ, ବନ୍ଧୁ କୁ କେବେ ଯେ ତୁମେ ଧୋକା ନ ଦେବ | ବନ୍ଧୁତ୍ୱ ବଜାୟ ରହେ ଶ୍ରଦ୍ଧା ବିଶ୍ୱାସରେ, ଶୁଭକାମନା ରହୁ ମନ, ନିଃଶ୍ୱାସ ରେ | ପୁରାଣ ଯୁଗେ ଯେମିତି ହନୁମାନ ରାମ, ପ୍ରିୟ ବନ୍ଧୁ ପରିଚୟ ଶ୍ରୀ କୃଷ୍ଣ ସୁଦାମା | ଏମିତି ବି କିଛି କିଛି କଥା ରହିଥାଏ, ବନ୍ଧୁ ବିନା କାହା ଆଗେ ପ୍ରକାଶ ନ ହୁଏ | ମନଖୋଲି କହିଦେଲେ ହୃଦୟର କଥା, ସୁବାକ୍ୟ ରେ ଶତ୍ରୁତା ବି ହୁଏରେ ମିତ୍ରତା | ବନ୍ଧୁ ଅଟେ ଜୀବନର ଏକ ଅନୁକୋଣ, ବନ୍ଧୁ ବିନା ଜୀବନଟା ହୋଇଥାଏ ଶୂନ୍ୟ | ହିଂସା, ଦ୍ୱେଷ,କପଟକୁ ମନୁକରି ଦୂର, ସଚ୍ଚୋଟ ମନରେ ଏକ ବନ୍ଧୁ ଯେ ସ୍ୱୀକାର | ବନ୍ଧୁ ସାର୍ଥକ ହୋଇବ ଆମ ଜୀବନର, ରୋଗୀର ବନ୍ଧୁ ଯଦି ହୋଇବ ଡାକ୍ତର | ଛାତ୍ର ଯଦି ବନ୍ଧୁ ବୋଲାଇବ ଶିକ୍ଷକ ର, ପାଠକ ବନ୍ଧୁ ହୋଇଲେ ଲେଖକ ର | ସନ୍ତାନ ଯେବେ ହେବ ଷୋହଳ ବୟସର, ବନ୍ଧୁ ସମ ମଣିବ ପିତାମାତା ତା'ର | ଏମିତି ହିଁ ବନ୍ଧୁ ନାମେ ବହୁ ଉପାଖ୍ୟାନ, ଏତିକି ଜଣାଇ କରେ ବନ୍ଧୁଙ୍କୁ ସମ୍ମାନ ||
